ରୂପ୍‌ସାରେ ଲୁଟେରା ସକ୍ରିୟ: ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ

ରୂପ୍‌ସା, ୨୮।୬(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସାସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି। ଶୁକ୍ରବାର ରୂପ୍‌ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଆରମ୍ଭ କରିଛନ୍ତି। ବିଭିନ୍ନ ସମୟରେ ଲୁଟେରାମାନେ ରୂପ୍‌ସା ଅଞ୍ଚଳରେ ଆଧିପତ୍ୟ ବୃଦ୍ଧି କରୁଥିବା ବେଳେ ଏବେ ସେମାନଙ୍କ ଟାର୍ଗେଟ୍‌ରେ ଏଟିଏମ୍‌ ଓ ବ୍ୟାଙ୍କ ରହିଥିବା ଜଣାପଡ଼ିଛି। ଗୁରୁବାର ରାତିରେ ଗ୍ରାମ୍ୟବ୍ୟାଙ୍କର ଶିଡ଼ି ଘର ଗ୍ରୀଲ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବ୍ୟାଙ୍କରୁ ଡକାୟତି କରିବା ନେଇ ଏକ ବଡ଼ଧରଣର ଯୋଜନା କରିଥିଲେ। ମାତ୍ର ବ୍ୟାଙ୍କର ମୁଖ୍ୟ ପ୍ରବେଶ ଦ୍ୱାରର ତାଲା ଭାଙ୍ଗି ପାରି ନ ଥିବାରୁ ଡକାୟତି ଉଦ୍ୟମ ପଣ୍ଡ ହୋଇଛି।
ଶୁକ୍ରବାର ବ୍ୟାଙ୍କ ଅଧିକାରୀମାନେ ଗ୍ରୀଲ୍‌ ତାଲା ଭଙ୍ଗାଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୂର୍ବରୁ ରୂପ୍‌ସା ଅଞ୍ଚଳର ନିତ୍ୟାନନ୍ଦ ପଟ୍ଟନାୟକ ଓ ଜଗନ୍ନାଥ ଦାସଙ୍କ ଗେଟ୍‌ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବାଇକ୍‌ ଚୋରି କରି ଚମ୍ପଟ ମାରିଥିଲେ। ଏହାଛଡ଼ା ରୂପ୍‌ସା ସାପ୍ତାହିକ ହାଟରେ ଏକ ସକ୍ରିୟ ର଼୍ୟାକେଟ୍‌ ନିୟମିତ ବ୍ୟବସାୟୀ ଓ ଗ୍ରାହକଙ୍କ ଠାରୁ ଦାମୀ ମୋବାଇଲ ଲୁଟ୍‌ କରିବାରେ ସଫଳ ହେଉଥିବାବେଳେ ସେମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଆପରାଧିକ କାର୍ଯ୍ୟକଳାପ ରୋକିବା ସହ ଲୁଟେରାଙ୍କୁ କାବୁ କରିବା ଦିଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।