ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହେଲା ୪ ମାସ

ମସ୍କୋ/କ୍ୱିଭ,୨୪ ।୬: ଫେବୃୟାରୀ ୨୪, ୨୦୨୨ ସକାଳୁ ସକାଳୁ ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିଦେଲା । ବହୁ ବାରଣ ପରେ ବି ରୁଷିଆର ଏଭଳି ଆକ୍ରମଣରେ ସ୍ତବ୍ଧ ହୋଇଗଲା ବିଶ୍ୱ । କେହି କିଛି ବୁଝିବା ପୂର୍ବରୁ ରୁଷିଆ ସେନା ୟୁକ୍ରେନର ବଡ ବଡ ସହର ସମେତ ସେନା ଘାଟି ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଏହି ଯୁଦ୍ଧକୁ ଏବେ ୪ ମାସ ପୂରଣ ହୋଇଛି । ହେଲେ ଏବେବି ୟୁକ୍ରେନରେ ଥମିନି ମିଶାଇଲ ମାଡ ଅବା ବୋମା ଫୁଟିବାର ଭୟଙ୍କର ଶବ୍ଦ । ଯୁଦ୍ଧରେ ଉଭୟ ଦେଶର ହଜାର ହଜାର ସେନା ଶହୀଦ ହୋଇଥିବା ବେଳେ ଲକ୍ଷ ଲକ୍ଷ ସାଧାରଣ ଜନତାଙ୍କ ପ୍ରାଣ ଗଲାଣି । ଏହାସହ ବହୁ ଆର୍ଥିକ କ୍ଷତି ବି ହୋଇ ସାରିଲାଣି । ଅନୁମାନ କରାଯାଉଥିଲା କି ମେ’ ୯ରେ ରୁଷିଆ ନିଜକୁ ବିଜୟୀ ଘୋଷଣା କରି ଯୁଦ୍ଧରୁ ଓହରି ଯିବ ହେଲେ ସେମିତି କିଛି ହେଲା ନାହିଁ ।
ୟୁକ୍ରେନକୁ ଛୋଟ ଦେଶ ଭାବି ଯୁଦ୍ଧରେ ଖୁବଶୀଘ୍ର ବିଜୟ ଲକ୍ଷ୍ୟ ରଖିଥିବା ରୁଷିଆ ଯେମିତି ଚକ୍ରବ୍ୟୁହରେ ଫସିଗଲା ଭଳି ଆଲୋଚନା ହେଉଛି । ୟୁକ୍ରେନକୁ ଆମେରିକା ଓ କିଛି ୟୁରୋପୀୟ ଦେଶର ସହାୟତା ଯୋଗୁ ଏବେ ପର୍ଯ୍ୟନ୍ତ ସେ ଶକ୍ତିଶାଳୀ ଦେଶ ରୁଷିଆ ସହିତ ଲଢି ଚାଲିଛି । କେବେ ଏହି ଯୁଦ୍ଧର ଅବସାନ ହେବା ତାହା କହିବା ମୁସ୍କିଲ ହୋଇଥିବା ବେଳେ ଅନୁମାନ କରାଯାଉଛି କି ଏହା ଆହୁରି କିଛି ଦିନ ଚାଲିବ । ସେପଟେ ମିଳିତ ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି କି ଏହା ବର୍ଷ ବର୍ଷ ଧରି ଚାଲିବ । ଯଦି ଏହି ଯୁଦ୍ଧ ଏମିତି ଲାଗି ରହିଲା ତେବେ ଭବିଷ୍ୟତରେ ପରିସ୍ଥିତି ଆହୁରି ଜଟିଳ ହୋଇଯିବ । ଏବେ ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ ସାରା ବିଶ୍ୱରେ ପରିଲକ୍ଷିତ ହୋଇଥିବା ବେଳେ ଆଗକୁ ଅନାହାରରେ ଲୋକଙ୍କର ମୃତ୍ୟୁ ହେବ ବୋଲି ଅନୁମାନ କରାଯାଉଛି । ତେଣୁ କେବଳ ରୁଷିଆ-ୟୁକ୍ରେନ ନୁହେଁ ଏହି ଯୁଦ୍ଧ ସାରା ବିଶ୍ୱ ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି କରିପାରେ ।

Share