ରୁପା ଅଳଙ୍କାର ଚୋରି ଘଟଣା: ୬ କେଜି ରୁପା ଉଦ୍ଧାର, ୩ ଗିରଫ

ବ୍ରହ୍ମପୁର ଅଫିସ, ୭।୯: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ମାଲସେନାପେଟା ସାହିରେ ଥିବା ଶ୍ରୀସାଇ ରିଫାଇନେରୀ ଏବଂ ରୁପା ଅଳଙ୍କାର ଦୋକାନରୁ ହୋଇଥିବା ଚୋରି ଘଟଣାର ଶନିବାର ପର୍ଦ୍ଦାଫାସ ହୋଇଛି। ପୋଲିସ ଏହି ଘଟଣାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖାଳସୀ ସାହିର ଜି. ମୁରଲୀ ଆଚାରୀ(୩୪), ପଠାଣ ସାହିର ଶେଖ୍‌ ସାକୀର(୨୧) ଏବଂ ଶଙ୍ଖାରୀ ସାହିର ଏସ୍‌. ଭରତ କୁମାର ଆଚାରୀ(୨୧) । ସେମାନଙ୍କ ନିକଟରୁ ୬କେଜି ରୁପା ଗହଣା ଜବତ କରାଯାଇଛି । ଏ ନେଇ ବଡ଼ବଜାର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ଘଟଣାବେଳେ ବ୍ୟବହୃତ କରିଥିବା ଏକ ଲୁହା କଟୁରି, ହାତୁଡିକୁ ପୋଲିସ ଜବତ କରିଛି। ଅଭିଯୁକ୍ତଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଏମ୍‌. ଉମାପତି ଆଚାରୀଙ୍କ ଉକ୍ତ ରୁପା ଅଳଙ୍କାର ଦୋକାନରୁ ଗତ ୩୦ ତାରିଖରେ ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୭ କେଜି ରୁପା ଅଳଙ୍କାର ଚୋରିକରି ନେଇଥିଲେ। ଏ ନେଇ ଉମାପତି ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୧୪୦/୧୯) ରୁଜୁ କରି ସିସିଟିଭି ଫୁଟେଜକୁ ଆଧାରକରି ତଦନ୍ତ ଚଳାଇଥିଲା।