Categories: ମେଟ୍ରୋ

ରୁପାଲି ରୁପ୍ରାଞ୍ଜିତା ମୃତ୍ୟୁ ରହସ୍ୟ: ହଷ୍ଟେଲରୁ ଚିଠି ଜବତ କଲା ପୋଲିସ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ସାଲିଆସାହି ନିକଟ ସରକାରୀ ପଲିଟେକ୍‌ନିକ କଲେଜ ହଷ୍ଟେଲରେ ବୁଧବାର ଛାତ୍ରୀ ରୁପାଲି ରୁପ୍ରାଞ୍ଜିତା ଦାସ(୧୮) ଆତ୍ମହତ୍ୟା କରିଥିଲେ। ପୋଲିସ ଆତ୍ମହତ୍ୟାର ରହସ୍ୟ ଖୋଜୁଥିବାବେଳେ ଗୁରୁବାର ହଷ୍ଟେଲରୁ ଏକ ହାତଲେଖା ଚିଠି ଜବତ କରିଛି। ‘ବାପା, ମାଆ ଆଇ ଆମ୍‌ ସରି। ମୁଁ ମୋ ଲାଇଫ୍‌ରେ ତୁମ ପାଇଁ କିଛି କରିପାରିଲିନି’ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି। ଏଥିରୁ ଛାତ୍ରୀଜଣକ କୌଣସି କାରଣରୁ ମାନସିକ ଭାବେ ଭାଙ୍ଗି ପଡିଥିବା ପୋଲିସ ଅନୁମାନ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି। ଡିସେମ୍ବର ୨୨ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ରୁପାଲି ଯାଜପୁର କଳିଙ୍ଗନଗରସ୍ଥିତ ନିଜ ଗାଁ କୁମ୍ଭିରଗାଡିଆରେ ଥିଲେ। କିନ୍ତୁ ସେହି ସମୟରେ ରୁପାଲି କୌଣସି ପ୍ରକାର ଚାପଗ୍ରସ୍ତ ନ ଥିବା ତାଙ୍କ ମାଆ କହିଛନ୍ତି । ଝିଅ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହାର ତଦନ୍ତ କରାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି।
ଅନ୍ୟପଟେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ରୁପାଲି ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ମୋବାଇଲରୁ ସବୁ ନମ୍ବର ଡିଲିଟ୍‌ କରିଥିଲେ। ର ଆତ୍ମହତ୍ୟା ପଛରେ ଫୋନ୍‌ ନମ୍ବର ଡିଲିଟ କରିବାର କିଛି ଲିଙ୍କ୍‌ ରହିଛି କି ନାହିଁ ତାହାକୁ ତଦନ୍ତ ପରିସରଭୁକ୍ତ କରିଛି। ଏପରି କି ପୋଲିସ ରୁପାଲିଙ୍କ ଫୋନ୍‌ କଲର ଡିଟେଲ୍ସକୁ ଯାଞ୍ଚ କରିବ ବୋଲି ସୂଚନା ମିଳିଛି। ସେହିପରି ପୋଲିସ କ୍ୟାପିଟାଲ ହସ୍ପିଟାଲରେ ରୁପାଲିଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।