Categories: ଖେଳ

ରୁଥ୍‌ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଦୋହା, ୨୯।୯- ଦୋହାରେ ଚାଲିଥିବା ଆଇଏଏଏଫ୍‌ ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ପ୍ରଥମ ଆଥ୍‌ଲେଟ୍‌ ଭାବେ କେନିଆର ଧାବିକା ରୁଥ୍‌ ଚେପନଗେଟିଚ୍‌ ସ୍ବର୍ଣ୍ଣ ପଦକ ଜିତିବାର କୃତୀତ୍ୱ ହାସଲ କରିଛନ୍ତି। ମହିଳା ବିଭାଗ ମାରାଥନ (୪୨.୧୯୫ କି.ମି.)ରେ ୨୫ ବର୍ଷୀୟା ରୁଥ୍‌ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ମହିଳା ମାରାଥନରେ ଶୀର୍ଷ ମାନ୍ୟତା ରୁଥ୍‌ ଟାଇଟଲ୍‌ ଫେଭରାଇଟ୍‌ ରହିଥିଲେ। ସେ ଏହି ଦୂରତାକୁ ୨ ଘଣ୍ଟା ୩୨ ମିନିଟ୍‌ ଓ ୪୩ ସେକେଣ୍ଡରେ ଫିନିଶ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ସ୍ଥାନୀୟ ସମୟ ଶୁକ୍ରବାର ରାତି ୧୧ଟା ୫୯ରେ ଏହି ମାରାଥନ ଆରମ୍ଭ ହୋଇଥିଲା। ରାତି ପାଖାପାଖି ୨ଟା ୩୦ରେ ରୁଥ୍‌ ଫିନିଶିଂ ଲାଇନ୍‌ ଅତିକ୍ରମ କରିଥିଲେ। ଡିଫେଣ୍ଡିଂ ଚାମ୍ପିୟନ ବାହାରିନର ଧାବିକା ରୋଜ୍‌ ଚେଲିମୋ (୨:୩୩:୪୬) ଓ ନାମ୍ବିଆର ହେଲାଲିଆ ଜୋହାନ୍ସ (୨:୩୪:୧୫) ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ମୋଟ୍‌ ୬୮ ପ୍ରତିଯୋଗୀ ରନିଂ ଆରମ୍ଭ କରିଥିଲେ ମଧ୍ୟ ପ୍ରବଳ ଗରମ କାରଣରୁ ୨୩ଜଣ ଫିନିଶ୍‌ କରିବାରେ ବିଫଳ ରହିଥିଲେ। ଏହାକୁ ନେଇ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା।

Share