ରୁଗୁଡିପାଲି ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷିତ

ସୋନପୁର, ୬।୧(ନି.ପ୍ର.): ଗତବର୍ଷ ମୋ ନାତୁଣୀର ବାହାଘର ଠିକ୍‌ ହୋଇଥିଲା। ସେତେବେଳେ ତାକୁ ପ୍ରାୟ ୧୫ ବର୍ଷ ହୋଇଥିଲା। ଗାଁର ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳି ରଣା ଘରକୁ ଆସି ବାହାଘର ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଥମେ ଆମେ ତାଙ୍କ ଉପରେ ରାଗିଥିଲୁ। ପରେ ବାଲ୍ୟ ବିବାହର ଅପକାରିତା ବିଷୟରେ ଜାଣିଲା ପରେ ବିବାହ ବନ୍ଦ କରିଥିଲୁ। ଏଥିପାଇଁ ଗୀତାଞ୍ଜଳିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲୁ ବୋଲି କୁହନ୍ତି ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ରୁଗୁଡିପାଲି ଗ୍ରାମର ମହିଳା ଜ୍ଞାନ ରଣା(୬୫)। କେବଳ ଜ୍ଞାନ ନୁହନ୍ତି, ତାଙ୍କ ପରି ଆହୁରି ଅନେକଙ୍କୁ ବୁଝାସୁଝା ପରେ ଏମିତି ବାଲ୍ୟ ବିବାହକୁ ଗାମରେ ବନ୍ଦ କରାଯାଇ ପାରିଛି। ଏହି ଗ୍ରାମରେ ୨୦୧୯ ମସିହାରେ ସବୁ ବାଲ୍ୟ ବିବାହକୁ ରୋକା ଯାଇ ପାରି ଥିବାରୁ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାଯାଇଛି। ସୋମବାର ଏହି ଉଦ୍ଦେଶ୍ୟରେ ରୁଗୁଡିପାଲିଠାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଅଙ୍ଗନଓ୍ବାଡି କର୍ମୀ ଗୀତାଞ୍ଜଳି ସମସ୍ତଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟ ଅତିଥିଭାବେ ଜିଲାପାଳ ମୋନିଷା ବାନାର୍ଜୀ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ସହିତ ରୁଗୁଡିପାଲିକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଥିଲେ। ନିଜର ବକ୍ତବ୍ୟରେ ପିଲାମାନେ ନିଜର ସ୍ବପ୍ନକୁ ସାକାର କରିବା ପାଇଁ ସାମାଜିକ ଉତ୍ତରଦାୟିତ୍ୱ ସୃଷ୍ଟି କରନ୍ତୁ। ବିବାହ ସମ୍ପର୍କିତ ନିଷ୍ପତ୍ତି ନିଜେ ନେଇ ପାରିବା ଭଳି ସକ୍ଷମ କରିବାକୁ ପଡିବ ବୋଲି ଜିଲାପାଳ କହିଥିଲେ। ଏକ୍ସନ ଏଡର ଜାତୀୟ ପ୍ରବନ୍ଧକ ଘାସିରାମ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ୨୦୩୦ ସୁଦ୍ଧା ସମଗ୍ର ରାଜ୍ୟକୁ ବାଲ୍ୟ ବିବାହମୁକ୍ତ ଘୋଷଣା ପାଇଁ ରାଜ୍ୟ ସରକାର ସଙ୍କଳ୍ପ ନେଇଛନ୍ତି। ସଂକଳ୍ପ ପୂରଣ ଦିଗରେ ଗ୍ରାମବାସୀଙ୍କ ପଦକ୍ଷେପ ସହାୟକ ହେବ। ଅଙ୍ଗନଓ୍ବାଡି କର୍ମୀମାନେ ସକ୍ରିୟ ଭାବରେ କାର୍ଯ୍ୟ କଲେ ସମସ୍ତ ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ କରାଯାଇ ପାରିବ ବୋଲି ଗୀତାଞ୍ଜଳି ପ୍ରମାଣିତ କରିଥିବା ପଣ୍ଡା କହିଥିଲେ।