ରିୟା @ ୩୩: ପ୍ରଯୋଜିକା ଭାବେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ଫିଲ୍ମ ପ୍ରଯୋଜିକା ତଥା ବଲିଉଡ୍‌ ଅଭିନେତା ଅନିଲ କପୁରଙ୍କ ଝିଅ ରିୟା କପୁର ମାର୍ଚ୍ଚ ୫ରେ ୩୩ ତମ ଜନ୍ମଦିନ ପାଳନ କରୁଛନ୍ତି। ମୁମ୍ବାଇରେ ଜନ୍ମିତ ରିୟା ଜଣେ ନିର୍ମାତା ସହ ଫ୍ୟାଶନ ଷ୍ଟାଇଲିଷ୍ଟ। ଭଉଣୀ ସୋନମଙ୍କ ସହ ମିଶି ଏକ ବ୍ରାଣ୍ଡ ଚଳାଉଛନ୍ତି ସେ।
ନ୍ୟୁୟର୍କରେ ପାଠପଢ଼ା ଶେଷ କରିବା ପରେ ରିୟା ପ୍ରଯୋଜିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ଥିଲା ୨୦୧୦ରେ ରିଲିଜ୍‌ ହୋଇଥିବା ରୋମାଣ୍ଟିକ୍‌ କମେଡି ‘ଆୟଶା’ । ଏଥିରେ ଭଉଣୀ ସୋନମ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ। ମାତ୍ର ଏହା ବକ୍ସ ଅଫିସରେ ସେତେଟା ଭଲ ବ୍ୟବସାୟ କରିପାରି ନ ଥିଲା। ୨୦୧୪ରେ ତାଙ୍କର ଦ୍ୱିତୀୟ ଫିଲ୍ମ ‘ଖୁବ୍‌ସୁରତ୍‌’ ରିଲିଜ୍‌ ହେଲା। ଏଥିରେ ମଧ୍ୟ ସୋନମ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିବା ବେଳେ ଏହା ସେତେଟା ସଫଳତା ପାଇପାରିଲା ନାହିଁ। ପରେ ଫିଲ୍ମ ‘ଭିରେ ଦି ଓ୍ବେଡିଂ’ ନିର୍ମାଣ କରିଥିଲେ। ଏଥିରେ ସୋନମ, କରୀନା କପୁର, ସ୍ବରା ଭାସ୍କର ଏବଂ ଶିଖା ତଲସାନିୟାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିଲା। ବୋଲ୍ଡ କାହାଣୀ ପାଇଁ ଫିଲ୍ମଟି ବିବାଦୀୟ ହୋଇଥିଲା। ମାତ୍ର ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ରିୟା ଏବେ କରଣ କୁଲାନୀଙ୍କୁ ଡେଟ୍‌ କରୁଛନ୍ତି। ସେମାନଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି। ମୋଟାମୋଟି ଭାବେ କହିବାକୁ ଗଲେ ରିୟା ନିଜର ଚୁଲ୍‌ବୁଲି ଏବଂ ବୋଲ୍ଡ ଅନ୍ଦାଜ ପାଇଁ ପ୍ରଶଂସକଙ୍କ ପ୍ରିୟ ହୋଇପାରିଛନ୍ତି।

Share