Categories: ଖେଳ

ରିଷି କପୁରଙ୍କ ଦେହାନ୍ତରେ ସଚିନ, କୋହଲିଙ୍କ ଶ୍ରଦ୍ଧାଞ୍ଜଳି

ନୁଆଦିଲ୍ଲୀ,୩୦।୪ (ପି.ଟି.): କିମ୍ବଦନ୍ତୀ ବଲିଉଡ ଅଭିନେତା ରିଷି କପୁରଙ୍କ ଦେହାନ୍ତରେ ଭାରତୀୟ କ୍ରୀଡ଼ାଜଗତ ସ୍ତବ୍ଧ ହୋଇଯାଇଛି। ରିଷିଙ୍କୁ ଭାରତୀୟ କ୍ରୀଡ଼ାର ବଡ଼ବଡ଼ ତାରକାମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କ୍ରିକେଟ ଆଇକନ ସଚିନ ତେନ୍ଦୁଲକରଙ୍କ ସମେତ ଅଧିନାୟକ ବିରାଟ କୋହଲି, ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗ ଶୋକ ପ୍ରକାଶ କରିଛନ୍ତି। ବିଶ୍ୱାସ ହେଉନାହିଁ। ଗତକାଲି ଇର୍ଫାନ ଖାନ ଓ ଆଜି ରିଷିଙ୍କ ପରଲୋକ ହୋଇଛି। ମହାନ ଅଭିନେତାମାନେ ଛାଡି ଚାଲିଯାଉଛନ୍ତି, ଏହାକୁ ଗ୍ରହଣ କରିବା ଆଦୌ ସହଜ ହେଉନାହିଁ। ତାଙ୍କ ଆତ୍ମାର ସଦ୍‌ଗତି ହେଉ ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ବୋଲି କୋହଲି ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ସେହିପରି ରିଷିଙ୍କ ପରଲୋକ ବହୁତ ଦୁଃଖ ଆଣିଦେଇଛି ବୋଲି ସଚିନ କହିଛନ୍ତି। ତାଙ୍କ ଅଭିନୀତ ସିନେମା ଦେଖି ବଡ଼ ହୋଇଛି। ଯେତେବେଳେ ଆମେ ପରସ୍ପରକୁ ଭେଟିଥାଉ ସେ ମଜାଳିଆ ଢଙ୍ଗରେ କଥା ହୋଇଥାନ୍ତି। ତାଙ୍କ ଆତ୍ମାର ସଦ୍‌ଗତି ହେଉ। ପତ୍ନୀ ନୀତୁ, ପୁଅ ରଣବୀର ଓ ପୂରା କପୁର ପରିବାରକୁ ସମବେଦନା ଜଣାଉଛି ବୋଲି ସଚିନ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ରିଷିଙ୍କ ପରଲୋକ ଖବର ଶୁଣି କଷ୍ଟ ଅନୁଭବ କରିଛି ବୋଲି ସେହ୍ବାଗ ଟୁଇଟ୍‌ କରିଛନ୍ତି। ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ଟୁଇଟ କରି ଶୋକ ଜଣାଇଛନ୍ତି। ତାଙ୍କ ଆତ୍ମାର ସଦ୍‌ଗତି ହେଉ ଓ ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି ଲକ୍ଷ୍ମଣ ଉଲ୍ଲେଖ କରିଛନ୍ତି।
ନୀତୁ, ରଣବୀରଙ୍କୁ ବାଦ୍‌ ଦେଲେ ରିଷିଙ୍କର ଜଣେ ଝିଆ ରିଦ୍ଧିମା ଅଛନ୍ତି। ଦୀର୍ଘ ୪ ଦଶନ୍ଧି ଧରି ସେ ହିନ୍ଦୀ ସିନେମା ଜଗତରେ ଛାଇ ହୋଇ ରହିଥିଲେ। ଗତ ଦୁଇ ବର୍ଷ ହେବ ସେ ଲେକୁମିଆ ସହିତ ସଂଘର୍ଷ କରିଆସୁଛନ୍ତି। ବୁଧବାର ତାଙ୍କୁ ଏଚ୍‌ଏନ୍‌ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦେହାନ୍ତରେ କ୍ରୀଡ଼ା ଜଗତର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଶୋକ ଜାହିର କରିଛନ୍ତି।

Share