Categories: ଖେଳ

ରିଷଭ ପନ୍ତଙ୍କ ପିଲାଳିଆମି ଯାଉନି

ରାଜକୋଟ,୮।୧୧- ନିଜର ଶଟ୍‌ ଚୟନ ନେଇ ସର୍ବଦା ସମାଲୋଚନାର ସମ୍ମୁଖୀନ ହେଉଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଟି୨୦ରେ ଏକ ସ୍କୁଲ ଛୁଆଙ୍କ ଭଳି ତ୍ରୁଟି କରିଛନ୍ତି। ବାଂଲାଦେଶ ଇନିଂସର ୬ଷ୍ଠ ଓଭରରେ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ବଡ଼ ଶଟ ମାରିବା ପାଇଁ ବ୍ୟାଟ୍ସମ୍ୟାନ ଲିଟନ ଦାସ ଆଗକୁ ଷ୍ଟେପ ନେଇଥିଲେ। କିନ୍ତୁ ଲିଟନ ବଲ ମିସ କରିବାରୁ ପନ୍ତ ବିଳମ୍ବ ନ କରି ଷ୍ଟମ୍ପ ଆଉଟ୍‌ କରିଥିଲେ। ହେଲେ ଏହାପରେ ଯାହା ହେଲା କ୍ରିକେଟ ପ୍ରଶଂସକଙ୍କୁ ଚକିତ କରି ଦେଇଥିଲା। ରିପ୍ଲେରେ ପନ୍ତଙ୍କ କିପିଂ ଗ୍ଲୋଭ୍‌ର କିଛି ଅଂଶ ଉଇକେଟ ଆଗରେ ଥିବା ଜଣାପଡ଼ିଥିଲା। ଫଳରେ ତୃତୀୟ ଅମ୍ପାୟର ଲିଟନଙ୍କୁ ନଟ ଆଉଟ୍‌ ଦେଇଥିଲେ। ପନ୍ତଙ୍କ ଏଭଳି ଗୁରୁତର ତ୍ରୁଟି ଯୋଗୁ ଅନ୍‌ ଫିଲ୍ଡ ଅମ୍ପାୟର ଏହାକୁ ନୋ ବଲ ଘୋଷଣା କରିଥିଲେ ଓ ବାଂଲାଦେଶକୁ ଏକ ଫ୍ରି ହିଟ୍‌ ମିଳିଥିଲା। ଭାରତୀୟ ଦଳରେ ସ୍ଥାନ ପକ୍କା କରିବା ପାଇଁ ସଂଘର୍ଷ କରୁଥିବା ୨୨ ବର୍ଷୀୟ ଯୁବ ଖେଳାଳି ଚଳିତ ସିରିଜର ପ୍ରଥମ ମ୍ୟାଚ୍‌ରେ ଡିଆରଏସ୍‌ ନେଇ ସମାଲୋଚିତ ହୋଇଥିଲେ। ଏଭଳି ପ୍ରଦର୍ଶନ ଯୋଗୁ ଭାରତୀୟ କୋଚିଂ ଷ୍ଟାଫ, ପଣ୍ଡିତ ଓ ପ୍ରଶଂସକମାନେ ପନ୍ତଙ୍କୁ ସମାଲୋଚନା କରିଆସୁଛନ୍ତି।

Share