ରିଲିଫ ବଣ୍ଟନ ନେଇ ଉତ୍ତେଜନା : ଯୋଗାଣ କେନ୍ଦ୍ରରେ ତାଲା ପକାଇଲେ ଲୋକେ

ରଣପୁର,୧୭ା୫(ସ୍ବ.ପ୍ର.)-ଫନୀ ପ୍ରଭାବରେ ନୟାଗଡ଼ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ସମେତ ୩୭ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିପନ୍ନଙ୍କୁ ସରକାରୀ ରିଲିଫ ପ୍ରଦାନ ପାଇଁ କଡା ନିର୍ଦ୍ଦେଶ ରହିଛି। ପ୍ରଥମ ପର୍ଯ୍ୟାୟରେ ଗୁରୁବାର ରିଲିଫ ବଣ୍ଟନ କରାଯାଇଥିବାବେଳେ ରଣପୁର ଏନଏସିସ୍ଥିତ ୧,୨ ନମ୍ବର ୱାର୍ଡରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଏନ୍‌ଏସି କାର୍ଯ୍ୟାଳୟ ପକ୍ଷରୁ ୨୫୦୦ ବଦଳରେ ୨୦୦୦ ଟଙ୍କା ଦେବାରୁ ଲୋକମାନଙ୍କ ସହିତ ଏନ୍‌ଏସି କର୍ମଚାରୀ ଓ ଡିଲରଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଠେଲାପେଲା ଭଳି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। କ୍ଷତିଗ୍ରସ୍ତ ଲୋକେ ଯୋଗାଣ କେନ୍ଦ୍ରରେ ତାଲା ପକାଇ ଦେବା ଫଳରେ ରିଲିଫ ବଣ୍ଟନ କାର୍ଯ୍ୟ ବନ୍ଦ କରାଯାଇଥିଲା। ସୂଚନାଯୋଗ୍ୟ, ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଫନୀ ବିପନ୍ନ ପ୍ରତି ରାଶନ କାର୍ଡ ହିତାଧିକାରୀ ପରିବାରକୁୁ ରିଲିଫ ବାବଦରେ ୨୦୦୦ ଟଙ୍କା, ପଲିଥିନ୍‌ ପାଇଁ ୫୦୦ଟଙ୍କା ଓ ୫୦କେ.ଜି ଚାଉଳ ଦେବା ପାଇଁ ନିୟମ ରହିଛି। ରାଶନ କାର୍ଡ ନ ଥିବା ପରିବାରଙ୍କୁ ନାହିଁ କେବଳ ୫୦ କେଜି ଚାଉଳ ବଣ୍ଟନ ପାଇଁ ନିର୍ଦ୍ଦେଶ ରହିଛି। ତେବେ ଏହି ୨ ୱାର୍ଡର ରାଶନ କାର୍ଡ ହିତାଧିକାରୀଙ୍କୁ ଅଢେଇ ହଜାର ପରିବର୍ତ୍ତେ ଦୁଇ ହଜାର ଟଙ୍କା ପ୍ରଦାନକୁ ନେଇ ଉତ୍ତେଜନା ଦେଖାଦେଇଛି। ବିପନ୍ନ ଲୋକମାନେ ସକାଳ ୮ଟାରୁ ଯୋଗାଣ କେନ୍ଦ୍ର ଆଗରେ ଲମ୍ବା ଲାଇନ୍‌ରେ ଠିଆ ହୋଇଥିବାବେଳେ ସେମାନଙ୍କ ପ୍ରତି ଏଭଳି ବ୍ୟତିକ୍ରମ କାହିଁକି କରାଯାଇଛି ବୋଲି ପାଟିତୁଣ୍ଡ କରିଥିଲେ। ଏ ବିଷୟରେ ରଣପୁର ଏନ୍‌ଏସି ଅଧିକାରିଣୀ ଅର୍ଚ୍ଚନା ନାୟକ କହିଛନ୍ତି, ଲୋକଙ୍କୁ ତହସିଲ ପକ୍ଷରୁ ପଲିଥିନ୍‌ ବଣ୍ଟନ କରାଯାଉଛି। ସେହି ତାଲିକା ଆମକୁ ତହସିଲ ତରଫରୁ ମିଳିନି। ତହସିଲ କାର୍ଯ୍ୟାଳୟରୁ ତାଲିକା ଆସିଲା ପରେ ପଲିଥିନ୍‌ ବାବଦକୁ ଆଉ ୫୦୦ ଟଙ୍କା ପ୍ରଦାନ କରାଯାଇଥାନ୍ତା। ଲୋକମାନେ ଏହାକୁ ବିରୋଧ କରିବାରୁ ରିଲିଫ ବଣ୍ଟନ ବନ୍ଦ ରହିଛି।