Categories: ଜାତୀୟ

ରିଭ୍ୟୁ ପିଟିଶନ ଦାଏର ନେଇ ୧୭ରେ ନିଷ୍ପତ୍ତି ନେବ ଏଆଇଏମ୍‌ପିଏଲ୍‌ବି: ଜମି ଗ୍ରହଣ ପ୍ରସ୍ତାବକୁ ଅଯୋଧ୍ୟା ମୁସଲମାନଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୨ା୧୧(ପି.ଟି./ଆଇଏଏନ୍‌ଏସ୍‌): ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର ଲାଗି ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଆସନ୍ତା ୧୭ ତାରିଖ ବୈଠକରେ ନିଷ୍ପତ୍ତି ନେବ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ପ୍ରଦାନ କରି ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ଲାଗି ନିର୍ଦ୍ଦେଶ ଦେବା ସହ ସୁନ୍ନୀ ଓ୍ବାକଫ୍‌ ବୋର୍ଡକୁ ଅନ୍ୟତ୍ର ମସ୍‌ଜିଦ ନିର୍ମାଣ ଲାଗି ୫ ଏକର ଜମି ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟର ସମୀକ୍ଷା କରାଯିବ କି ନାହିଁ ତାହା ଉପରେ ୧୭ ତାରିଖ ବୈଠକରେ ନିଷ୍ପତ୍ତି ହେବ ବୋଲି ବରିଷ୍ଠ ଆଇନଜୀବୀ ଜଫରୟାବ ଜିଲାନି ସୋମବାର କହିଛନ୍ତି। ଉତ୍ତରପ୍ରଦେଶର ସୁନ୍ନୀ ଓ୍ବାକଫ୍‌ ବୋର୍ଡ ସମେତ ଅନ୍ୟ ମୁସଲିମ୍‌ ପକ୍ଷଙ୍କ ପାଇଁ ଜିଲାନି ତଳକୋର୍ଟ, ଆଲ୍ଲାହାବାଦ ହାଇକୋର୍ଟ ଏବଂ ସର୍ବୋଚ୍ଚ ଅଦାଲତରେ ମାମଲା ଲଢ଼ୁଥିଲେ।
ମସ୍‌ଜିଦ ନିର୍ମାଣ ଲାଗି ୫ ଏକର ଜମି ଗ୍ରହଣ କରିବାକୁ ଅଯୋଧ୍ୟାର ପ୍ରମୁଖ ନେତାମାନେ ମନା କରିଛନ୍ତି। ମାମଲାର ଅନ୍ୟତମ ପକ୍ଷ ଥିବା ଜମାଏତ୍‌ ଉଲେମା-ଇ-ହିନ୍ଦ୍‌ ସଂଗଠନର ଅଧ୍ୟକ୍ଷ ମୌଲାନା ବାଦଶାହ ଖାନ୍‌ କହିଛନ୍ତି, ସେମାନେ ବାବ୍ରୀ ମସ୍‌ଜିଦ ଜମି ପାଇଁ ମାମଲା ଲଢ଼ୁଥିଲେ, ଅନ୍ୟତ୍ର ଜମି ନେବାକୁ ନୁହେଁ। ଆମେ ଅନ୍ୟତ୍ର ଜମି ନେବାକୁ ଚାହୁଁନୁ, ବରଂ ଉକ୍ତ ଜମିକୁ ଆମେ ରାମମନ୍ଦିରକୁ ଦାନ କରିବୁ ବୋଲି ସେ କହିଛନ୍ତି। ମୁସଲମାନମାନେ ଜମି କିଣି ମସ୍‌ଜିଦ ନିର୍ମାଣ କରିପାରିବେ। ସେମାନେ କୌଣସି ସରକାରଙ୍କ ଉପରେ ନିର୍ଭର କରିବାକୁ ଚାହୁଁନାହାନ୍ତି। ଯଦି ଅଦାଲତ କିମ୍ବା ସରକାର ଆମକୁ ଜମି ଦେବାକୁ ଚାହାନ୍ତି ତେବେ ଦରଘା ଓ ଶ୍ମଶାନ ପାଇଁ ଅଧିଗ୍ରହଣ ହୋଇଥିବା ଜମିକୁ ଦିଅନ୍ତୁ ବୋଲି ସ୍ଥାନୀୟ ମୌଲାନା ଜଲାଲ ଅଶ୍ରଫ୍‌ କହିଛନ୍ତି।

ରାୟର ସମୀକ୍ଷା ଆବଶ୍ୟକ: ହବିବୁଲ୍ଲା

ଅଯୋଧ୍ୟା ରାୟକୁ ନେଇ ଜାତୀୟ ସଂଖ୍ୟାଲଘୁ କମିଶନର ପୂର୍ବତନ ଅଧ୍ୟକ୍ଷ ଓ୍ବାଜାହତ୍‌ ହବିବୁଲ୍ଲା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାୟର ସମୀକ୍ଷା ହେବା ଦରକାର ବୋଲି ସେ ମତ ଦେଇଛନ୍ତି। ଦେଶର ପ୍ରଥମ ମୁଖ୍ୟ ସୂଚନା କମିଶନର ଥିବା ହବବୁଲ୍ଲା କହିଛନ୍ତି, ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ ଦୁଇ ସମ୍ପ୍ରଦାୟର ଉଦ୍‌ବେଗକୁ କମାଇବା ଲାଗି ଉଦ୍ୟମ କରିଛନ୍ତି। ତେବେ ରାୟ ତ୍ରୁଟିଯୁକ୍ତ ବୋଲି ସେ ଅନୁଭବ କରୁଥିବା କହିଛନ୍ତି।

Share