Categories: ଖେଳ

ରିଭେରା ଇଷ୍ଟବେଙ୍ଗଲର ନୂଆ ମୁଖ୍ୟ କୋଚ୍‌

କୋଲକାତା, ୨୩ା୧ (ପି.ଟି.): ଇଷ୍ଟବେଙ୍ଗଲ ଗୁରୁବାର ମାରିଓ ରିଭେରାଙ୍କୁ ଏହାର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଆଲେଜାଣ୍ଡ୍ରୋ ମେଣ୍ଡେଜ୍‌ଙ୍କ ଆକସ୍ମିକ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା। ରିଭେରା ପୂର୍ବରୁ ମେଣ୍ଡେଜଙ୍କ ଡେପୁଟି ଭାବେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳ ଚଳିତ ସିଜନ ଶେଷ (ମେ ୩୧) ପର୍ଯ୍ୟନ୍ତ ରହିବ। ରଭେରା ହେଉଛନ୍ତି ୟୁନିୟନ ଅଫ୍‌ ୟୁରୋପିଆନ୍‌ ଫୁଟ୍‌ବଲ ଆସୋସିଏଶନ୍ସ(ୟୁଫା)ର ପ୍ରୋ ଲିସେନ୍ସ କୋଚ୍‌। ବିଶେଷ କରି ସ୍ପେନରେ ବିଭିନ୍ନ ଫୁଟ୍‌ବଲ ଦଳ ସହିତ ସେ କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି। ରିଭେରା ଇଷ୍ଟବେଙ୍ଗଲ ଟିମ୍‌ ଏବଂ ଏହାର କୋଚିଂ ଷ୍ଟାଫ୍‌ ସହିତ ବେଶ୍‌ ପରିଚିତ। ତେଣୁ ଅବଶିଷ୍ଟ ସିଜନ ପାଇଁ କାର୍ଯ୍ୟ କଲାବେଳେ ସେ ଫାଇଦାରେ ରହିବେ ନିଶ୍ଚୟ। ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସେ କ୍ଲବ ସହିତ ଯୋଗଦେବେ। ଇଷ୍ଟବେଙ୍ଗଲ ଏହାର ପରବର୍ତ୍ତୀ ଦୁଇଟି ମ୍ୟାଚ ଚେନ୍ନାଇ ସିଟି ଏବଂ ଇଣ୍ଡିଆନ ଏରୋଜଙ୍କ ସହିତ ବାସ୍ତବ ରୟଙ୍କ ତତ୍ତ୍ୱାବଧାନରେ ଖେଳିବ। ସୂଚନାଯୋଗ୍ୟ, ଇଷ୍ଟବେଙ୍ଗଲର ହ୍ୟାଟ୍ରିକ୍‌ ପରାଜୟ ପରେ ମେଣ୍ଡେଜଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା। ଆଇ-ଲିଗ୍‌୍‌ ଷ୍ଟାଣ୍ଡିଂରେ ଇଷ୍ଟବେଙ୍ଗଲ ବର୍ତ୍ତମାନ ୭ଟି ମ୍ୟାଚରୁ ୮ ପଏଣ୍ଟ ଅର୍ଜନ କରି ସପ୍ତମ ସ୍ଥାନରେ ରହିଛି।

Share