Categories: ଖେଳ

ରିଡ୍‌ଙ୍କ ତତ୍ତ୍ୱାବଧାନରେ ଆକ୍ରମଣାତ୍ମକ ହୋଇଛୁ: ଗୁରିନ୍ଦର

ବେଙ୍ଗାଲୁରୁ,୬।୫(ପି.ଟି.): ହେଡ୍‌ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ତତ୍ତ୍ୱାବଧାନରେ ଆମେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବାରେ ସଫଳ ହୋଇଛୁ ବୋଲି ଭାରତୀୟ ଡିଫେଣ୍ଡର ଗୁରିନ୍ଦର ସିଂ କହିଛନ୍ତି। ଏହା ଦ୍ୱାର ଅଧିକରୁ ଅଧିକ ଗୋଲ ପ୍ରଦାନ କରିବ ସୁଯୋଗ ସୃଷ୍ଟି କରିବାରେ ଆମେ ସଫଳ ହୋଇଛୁ। ଚଳିତ ବର୍ଷ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା ଓ ବିଶ୍ୱ ଚାମ୍ପିୟନ ବେଲ୍‌ଜିୟମ ଏବଂ ଅଷ୍ଟ୍ରେଲିଆ ଭଳି ଶ୍ରେଷ୍ଠ ଦଳକୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା।
ଗୋଟିଏ ବର୍ଷ ହେବ ରିଡ୍‌ ଦାୟିତ୍ୱରେ ରହିଛନ୍ତି ଓ ଦଳରେ ଏକ ସକାରାତ୍ମକ ପରତର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି। ଏହି ଗୋଟିଏ ବର୍ଷ ମଧ୍ୟରେ ଆମର ହାବଭାବ ଓ ଦୃଷ୍ଟିକୋଣରେ ପରିବର୍ତ୍ତନ ହୋଇଛି। ପୂର୍ବାପେକ୍ଷା ଆମେ ଅଧିକ ଆକ୍ରମଣାତ୍ମକ ହୋଇପାରିଛୁ ବୋଲି ସେ କହିଛନ୍ତି। ଗତବର୍ଷ ଏପ୍ରିଲରେ ଦାୟିତ୍ୱ ନେବା ପରେ ରିଡ୍‌ ଦଳର ପ୍ରତ୍ୟେକ ସଦସ୍ୟଙ୍କ ସହ ବ୍ୟକ୍ତିଗତ ଭାବେ ମିଶି ଦଳର ରଣନୀତି ସମ୍ପର୍କରେ ଆଲୋଚନା କରିଥାନ୍ତି। ଗତବର୍ଷ ନଭେମ୍ବରରେ ଅନୁଷ୍ଠିତ ସିନିୟର କୋଚିଂ କ୍ୟାମ୍ପରେ ସେ ସବୁ ଖେଳାଳିଙ୍କ ସହ ଆଲୋଚନା କରି ସବୁ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିଛନ୍ତି ବୋଲି ଗୁରିନ୍ଦର କହିଛନ୍ତି।
ହାତରେ ଏବେ ବହୁତ ସମୟ ରହିଛି। ଫଳରେ ରିଡ୍‌ ସବୁ ଖେଳାଳିଙ୍କ ସହ ବହୁ ସମୟଧରି ଆଲୋଚନା କରୁଛନ୍ତି ଓ ଏହା ଆଗକୁ ବେଶ୍‌ କାମରେ ଆସିବ। ଏବେ ଅଲିମ୍ପିକ୍ସ ପାଇଁ ଦଳରେ ସ୍ଥାନ ପାଇବା ମୋର ମୁଖ୍ୟ ଲକ୍ଷ୍ୟ ବୋଲି ଗୁରିନ୍ଦର କହିଛନ୍ତି। ଗତ କିଛି ବର୍ଷ ହେବ ଗୁରିନ୍ଦର ଦଳରୁ ଏକାଧିକ ବାର ବାହାରି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତ ପାଇଁ ଅଲିମ୍ପିକ୍‌ ଖେଳିବା ମୋର ପିଲାଦିନର ସ୍ବପ୍ନ ରହିଛି। ଦଳରେ ସ୍ଥାନ ହାସଲ କରି ଭାରତ ପାଇଁ ଅଲିମ୍ପିକ ପଦକ ଜିତିବା ମୋର ସବୁଠାରୁ ବଡ଼ ଲକ୍ଷ୍ୟ ରହିଛି। ୨୦୧୬ରେ ଜୁନିୟର ବିଶକପ୍‌ ଜିତିବା କ୍ୟାରିୟରର ସବୁଠାରୁ ସୁଖଦ ଅନୁଭୂତି ଥିଲା। ୨୦୧୭ ସୁଲତାନ ଆଜଲାନ ଶାହା କପ୍‌ ଟୁର୍ନାମେଣ୍ଟରେ ଖେଳି ସିନିୟର ଦଳ ପାଇଁ ପାଦର୍ପଣ କରିଥିଲି। ସେହିପରି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିଥିଲେ ମଧ୍ୟ ଏକାଧିକ ବଡ଼ ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଦଳକୁ ଫେରିବା ମୋ ପାଇଁ ସବୁଠାରୁ ବଡ଼ କଥା ଥିଲା। ଗତ ୩ ବର୍ଷ ମଧ୍ୟରେ ହକି ସମ୍ପର୍କରେ ବହୁତ କିଛି ଜାଣିବାକୁ ପାଇଛି। ତେଣୁ ଏବେ କୌଶଳ ତଥା ସ୍କିଲ୍‌କୁ ଆହୁରି ଉନ୍ନତି କରିବାକୁ ସୁଯୋଗ ପାଇଛି ବୋଲି ଗୁରିନ୍ଦର କହିଛନ୍ତି।

Share