Categories: ଖେଳ

ରିଙ୍ଗରେ ଆଉ ଜଣେ ବକ୍ସରଙ୍କ ମୃତ୍ୟୁ

ସିଡ୍‌ନୀ,୧୦।୧୧(ଏଏଫ୍‌ପି)- ମିଡ୍‌ଲଓ୍ବେଟ ବକ୍ସର ଡ୍ବିଟ ରିଚେଙ୍କ ରବିବାର ରିଙ୍ଗରେ ମୃତ୍ୟୁ ହୋଇଛି। ଏହା ଅଷ୍ଟ୍ରେଲିଆ ବକ୍ସିଂ ଯଗତକୁ ସ୍ତବ୍ଧ କରି ଦେଇଛି। ଡେଲି ଟେଲିଗ୍ରାଫରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ୨୭ ବର୍ଷୀୟ ବକ୍ସରଙ୍କ ଦେହରେ ଶଟ ବାଜିବା ପରେ ସେ ରିଙ୍ଗରେ ନିଜ କର୍ନରକୁ ଚାଲିଯାଇଥିଲେ। ସେଠାରେ ସେ ଚେତା ହରାଇ ପଡ଼ି ଯାଇଥିଲେ। ଉପସ୍ଥିତ ଅଫିସିଆଲ ତାଙ୍କୁ ବଞ୍ଚାଇ ପାରି ନ ଥିଲେ। ଏହାକୁ ରିଚେଙ୍କ ପ୍ରମୋଟର ଜ୍ୟାକ ଇଲିସ ସ୍ପଷ୍ଟ କରିଛନ୍ତି। ବହୁତ ଦୁଃଖର ସହିତ ଘୋଷଣା କରିବାକୁ ପଡ଼ୁଛି, କାଓ ବୟ ଭାବେ ପରିଚିତ ରିଚେ ଆଉ ନାହାନ୍ତି। ସେ ଯାହା ଭଲ ପାଉଥିଲେ, ସେହି କାର୍ଯ୍ୟବେଳେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ପ୍ରୋମୋଟର ଓ ବନ୍ଧୁ ଭାବେ ଏଭଳି ଦୁଃଖ ସହ୍ୟ କରିବା କଷ୍ଟକର ବୋଲି ଜ୍ୟାକ କହିଛନ୍ତି। ରିଚେଙ୍କ ନାମରେ ୧୯-୨ ରେକର୍ଡ ଥିଲା। ରିଙ୍ଗ୍‌ରେ ବକ୍ସରଙ୍କ ମୃତ୍ୟୁ ଘଟିବାରେ ଚଳିତବର୍ଷ ଏହା ଚତୁର୍ଥ ଘଟଣା। ଗତ ମାସରେ ବକ୍ସର ପାଟ୍ରିକ ଡେଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିବା ପରେ ଜୀବନ ସଂଘର୍ଷରେ ହାରି ଯାଇଥିଲେ। ସେ ଚାଲର୍ସ କନଓ୍ବେଲଙ୍କ ବିପକ୍ଷରେ ସିକାଗୋଠାରେ ନକଆଉଟ୍‌ ମ୍ୟାଚ୍‌ ଖେଳୁଥିଲେ। ଗତ ଜୁଲାଇରେ ସାନ ନିକୋଲାସଙ୍କ ସହ ମୁକାବିଲା କରୁଥିବା ଆର୍ଜେଣ୍ଟିନା ହୁଗୋ ସାଣ୍ଟିଲାନ ଜୀବନ ହରାଇଥିଲେ। ସେହିଭଳି ମୁଣ୍ଡରେ ଆଘାତ ଲାଗିବାରୁ ରୁଷିଆର ମାକ୍ସିମ ଡାଡାଶେଭଙ୍କ ରିଙ୍ଗରେ ମୃତ୍ୟୁ ହୋଇଥିଲା।

Share