ରିକଭରି ଏଜେନ୍ସି ପରିଚାଳନା ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ ରୋଡ,୧୩ା୯(ଡି.ଏନ୍‌.ଏ.): ବଡ଼ଗଡ଼ ଥାନା ପୋଲିସ ଗୁରୁବାର ଏକ ଘରୋଇଅର୍ଥ ଲଗାଣକାରୀ ସଂସ୍ଥାର କାର୍ଯ୍ୟାଳୟ ପରିସରରୁ ପରିଚାଳନା ନିର୍ଦ୍ଦେଶକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଧୀନ ନିହଲ ପ୍ରସାଦ ଅଞ୍ଚଳର ଶକ୍ତିମୟ ଭୂୟଁା(୫୨)। ସୂଚନା ଅନୁଯାୟୀ, କେତେକ ଅର୍ଥଲଗାଣକାରୀ ସଂସ୍ଥାର କଲେକ୍ସନ ଓ ରିକୋଭରି ଏଜେନ୍ସି ନେଇଥିବା ଶକ୍ତିମୟଙ୍କ ଗୌତମନଗର ଅଞ୍ଚଳରେ କାର୍ଯ୍ୟାଳୟ ରହିଛି। ପ୍ରାୟ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ଏହି ଏଜେନ୍ସି ଚଳାଇ ଆସୁଥିଲେ। ବୁଧବାର ରାତିରେ ଶକ୍ତିମୟ ଗୌତମ ନଗରରେ ଥିବା ଅନ୍ୟ ଏକ କଲେକ୍ସନ ଏଜେନ୍ସି କାର୍ଯ୍ୟାଳୟକୁ ଆସିଥିଲେ। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଉକ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଆସିବା ପରେ ଶକ୍ତିମୟ ଏକ କୋଠରୀରେ ରଶିରେ ଝୁଲୁଥିବା ଦେଖିଥିଲେ। କୋଠରୀ ଭିତର ପଟୁ କବାଟ ବନ୍ଦ ଥିବା ଦେଖି ପୋଲିସକୁ ଖବରଦେଇଥିଲେ। ଖବରପାଇ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ବ୍ୟବଚ୍ଛେଦ ପାଇଁ ପୋଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୨୬/୧୯)ରୁଜୁ ହୋଇଛି। ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ବୋଲି ପୋଲିସ କହିଛି।