Categories: ଜାତୀୟ

ରାୟ ପୂର୍ବରୁ ଅଯୋଧ୍ୟାରେ ବଢ଼ିଲା ସୁରକ୍ଷା

ଅଯୋଧ୍ୟା,୭ା୧୦(ଆଇଏଏନ୍‌ଏସ୍‌): ଏବେ ପାର୍ବଣ ଋତୁ ଚାଲିଥିବାବେଳେ ଆଗକୁ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦ ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି। ସେଠାକୁ ୧୦ କମ୍ପାନୀ ଅତିରିକ୍ତ ସୁରକ୍ଷା ବଳ ପଠାଯାଇଛି। ଦୁର୍ଗାପୂଜା ଓ ଦଶହରା ଶୋଭାଯାତ୍ରା ଉପରେ ଡ୍ରୋନ୍‌ରୁ ନଜର ରଖିବ ପୋଲିସ। ଶୋଭାଯାତ୍ରା ବେଳେ ରଙ୍ଗ ଅବିର ବ୍ୟବହାର ନ କରିବାକୁ ପୂଜା କମିଟିଗୁଡିକୁ ଅନୁରୋଧ କରାଯାଇଛି। ଅବିର ବଦଳରେ ସେମାନେ ଫୁଲ ପାଖୁଡ଼ା ବ୍ୟବହାର କରିପାରିବେ। ଅତିରିକ୍ତ ସୁରକ୍ଷା ବଳଙ୍କୁ ସ୍ଥାନୀୟ ଗେଷ୍ଟହାଉସ, ଧର୍ମଶାଳା, ସ୍କୁଲ କଲେଜରେ ରଖାଯିବ। ସୋମବାରଠାରୁ ଦଶହରା ପାଳନ ହେଉଥିବାବେଳେ ଦିଓ୍ବାଲି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରାମଲୀଳାମାନ ଆୟୋଜିତ ହେବ। ଏହାବ୍ୟତୀତ ଦିଓ୍ବାଲି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିଦିନିଆ ଦୀପୋତ୍ସବ କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ଲକ୍ଷାଧିକ ଜନ ସମାଗମ ହେବ।
ଆକ୍ରମଣ ସମ୍ଭାବନା ଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସତର୍କତା ବ୍ୟବସ୍ଥା ସ୍ବରୂପ ସମସ୍ତ ହୋଟେଲ, ଗେଷ୍ଟହାଉସ, ଧର୍ମଶାଳା, ଲଜ୍‌ ଆଦିକୁ ଯାଞ୍ଚ କରିବା ପାଇଁ ଜିଲା ପୋଲିସ ଓ ସ୍ଥାନୀୟ ଗୋଇନ୍ଦା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ନଭେମ୍ବରରେ ସୁପ୍ରିମକୋର୍ଟ ରାମ ଜନ୍ମଭୂମି ମାମଲାର ରାୟ ଶୁଣାଇବାକୁ ଥିବାରୁ ସୁରକ୍ଷାରେ ଯେପରି କୌଣସି ପ୍ରକାର ତ୍ରୁଟି ନ ରୁହେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ଗ୍ରହଣ କରାଯାଉଛି।

Share