ରାୟଗଡ଼ାରେ ଲୋକାର୍ପିତ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ରାୟଗଡ଼ା ଅଫିସ,୧୩ା୪: ରାୟଗଡ଼ା ଜିଲାର ଜେକେପୁର ଠାରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଜିଲାସ୍ତରୀୟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ଇଏସ୍‌ଆଇ ହସ୍ପିଟାଲ୍‌ରେ ଏହି ସ୍ବତନ୍ତ୍ର ଚିକିତ୍ସାଳୟ କରାଯାଇଛି। ଜିଲାପାଳ ପ୍ରମୋଦ କୁମାର ବେହେରା ସୋମବାର ଏହାକୁ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏଠାରେ ଚିକିତ୍ସା ପାଇଁ ଭେଣ୍ଟିଲେଟର୍‌ ସହ ସ୍ବତନ୍ତ୍ର ଆଇସୋଲେଶନ୍‌ ବ୍ୟବସ୍ଥା ରହିଛି। ଏହାସହ କରୋନା ସନ୍ଦିଗ୍ଧଙ୍କ ସ୍ବାବ ପରୀକ୍ଷା ଓ ଔଷଧ କେନ୍ଦ୍ରର ସୁବିଧା ମଧ୍ୟ ରହିଛି। ଏହି ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା ପାଇଁ ୫ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ହସ୍ପିଟାଲ ପରିବେଶକୁ ପରିଷ୍କାର ରଖିବା ପାଇଁ ସମ୍ପୂର୍ଣ୍ଣ ସାନିଟାଇଜ୍‌ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲାପାଳ ବେହେରାଙ୍କ ସମେତ ଏସ୍‌ପି ଡ. ଶର୍ବଣା ବିବେକ ଏମ୍‌, ପିଡ଼ି ଅମୃତ ଋତୁରାଜ, ସିଡିଏମ୍‌ଓ ଡା. ଆର୍ତ୍ତବନ୍ଧୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।