Categories: ଜାତୀୟ

ରାହୁଲ-ରାଜ୍ୟପାଳ ବାକ୍‌ଯୁଦ୍ଧ

ନୂଆଦିଲ୍ଲୀ,୧୪ା୮: ଜମ୍ମୁ-କଶ୍ମୀର ଗସ୍ତ କରିବାକୁ ଚାହୁଁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବାକ୍‌ଯୁଦ୍ଧ ଜୋରଧରିବାରେ ଲାଗିଛି। ଜମ୍ମୁ-କଶ୍ମୀରରେ ଲୋକେ ମରୁଥିବାବେଳେ ସବୁକିଛି ସ୍ବାଭାବିକ ଅଛି ବୋଲି ରାଜ୍ୟପାଳ ଦାବି କରୁଥିବା ନେଇ ରାହୁଲ ସମାଲୋଚନା କରିଥିଲେ। ଏହାକୁ ନେଇ ସୋମବାର ରାଜ୍ୟପାଳ କହିଥିଲେ, ରାହୁଲ ଜମ୍ମୁ-କଶ୍ମୀର ଆସନ୍ତୁ। ତାଙ୍କ ପାଇଁ ଏକ ବିମାନ ପଠାଯିବ। ଏହାର ଜବାବରେ ରାହୁଲ କହିଛନ୍ତି, ସେ ଜମ୍ମୁ-କଶ୍ମୀର ଗସ୍ତ ପାଇଁ ରାଜ୍ୟପାଳଙ୍କ ନିମନ୍ତ୍ରଣକୁ ଗ୍ରହଣ କରୁଛନ୍ତି। କିନ୍ତୁ ଏଥିଲାଗି ସେ ରାଜ୍ୟପାଳଙ୍କ ବିମାନ ବ୍ୟବହାର କରିବେ ନାହିଁ। ତାଙ୍କ ସହ ଅନ୍ୟ ବିରୋଧୀ ଦଳ ନେତାମାନେ ସେଠାକୁ ଯାଇ ଲୋକଙ୍କୁ ଭେଟିବା ପାଇଁ ରାଜ୍ୟପାଳ କେବଳ ଅନୁମତି ଦିଅନ୍ତୁ ବୋଲି ରାହୁଲ ଟୁଇଟ କରିଛନ୍ତି। ଏନେଇ ରାଜ୍ୟପାଳ କହିଛନ୍ତି, ରାହୁଲ ଗସ୍ତ ପାଇଁ ସର୍ତ୍ତ ବାଢ଼ୁଛନ୍ତି। ସେ ବିରୋଧୀ ନେତାମାନଙ୍କ ଏକ ପ୍ରତିନିଧି ଦଳକୁ ନେଇ ସେଠାକୁ ଯିବା ପାଇଁ କହି ଅଶାନ୍ତି ସୃଷ୍ଟି କରୁଛନ୍ତି। ଏହାସହ ରାହୁଲ ମିଛ ଖବର ବିସ୍ତାର କରୁଥିବା ନେଇ ରାଜ୍ୟପାଳ ଅଭିଯୋଗ ଆଣିଛନ୍ତି।

Share