Categories: ଜାତୀୟ

ରାହୁଲଙ୍କ ଚୌକିଦାର, ରାଫାଲ ସ୍ଲୋଗାନ ବିଫଳ

ନୂଆଦିଲ୍ଲୀ,୨୪-୫- (ପି.ଟି.):କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚୌକିଦାର ଏବଂ ରାଫାଲ ସ୍ଲୋଗାନ ବିଫଳ ହୋଇଛି। ନ୍ୟାୟ ଯୋଜନା ମଧ୍ୟ ଦଳ ପାଇଁ ଭୋଟ ସଂଗ୍ରହ କରିବାରେ ବିଫଳ ହୋଇଛି। ସବୁଠୁ ବଡ଼ କଥା ହେଲା ୬ ମାସ ପୂର୍ବେ ତିନୋଟି ପ୍ରମୁଖ ହିନ୍ଦୀଭାଷୀ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭାଜପାକୁ ପରାଜିତ କରି କଂଗ୍ରେସ କ୍ଷମତାକୁ ଫେରିଥିଲା। ଏହି ତିନି ରାଜ୍ୟରେ ଲୋକ ସଭା ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଓଲଟି ଯାଇଛି। ୨୦୧୪ ତୁଳନାରେ କଂଗ୍ରେସ ଏଥର ମାତ୍ର ୧୧ଟି ଅଧିକ ଆସନରେ ଜିତିବାକୁ ଯାଉଛି।
କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପୁଣି ଥରେ ତଳସ୍ତରରେ ଦଳର ସାଂଗଠନିକ ଦୁର୍ବଳତାକୁ ପଦାରେ ପକାଇଛି। ଦେଶର ସବୁଠୁ ପୁରୁଣା ଦଳ ଦକ୍ଷିଣ ଭାରତରେ କିଛିଟା ସଫଳତା ପାଇଥିବାବେଳେ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି। ଏପରିକି କର୍ନାଟକରେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ସହ ମିଶି ସରକାର ଗଢ଼ିଥିବା କଂଗ୍ରେସ ମଧ୍ୟ ଲୋକ ସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିପାରି ନାହିଁ। ଲୋକ ସଭା ନିର୍ବାଚନ ରାଜ୍ୟ ନିର୍ବାଚନଠାରୁ ଅଲଗା ବୋଲି କଂଗ୍ରେସ ନେତାମାନେ ଯୁକ୍ତ ବାଢ଼ୁଛନ୍ତି। ସର୍ବନିମ୍ନ ଆୟ ଯୋଜନାରେ ଗରିବ ପରିବାରଗୁଡିକୁ ବର୍ଷକୁ ୭୨ ହଜାର କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି କଂଗ୍ରେସ ଘୋଷଣା କରିଥିଲା। ଏହାକୁ ଜନସାଧାରଣ ଗ୍ରହଣ କରିନାହାନ୍ତି। ରାଫାଲ ଦୁର୍ନୀତି ଏବଂ ଚୌକିଦାର ଚୋର ହୈ ସ୍ଲୋଗାନ ଦେଇ ରାହୁଲ ସବୁ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରୁଥିଲେ ହେଁ ଏହା ଲୋକଙ୍କ ଚିନ୍ତାଧାରାକୁ ବଦଳାଇପାରିନାହିଁ।

Share