Categories: ଜାତୀୟ

ରାହୁଲଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ନଡ୍ଡା: ସିଏଏର ନିୟମ ଉପରେ ୧୦ ଲାଇନ୍‌ କହି ଦେଖାନ୍ତୁ

ଇନ୍ଦୋର,୨୨।୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ବିରୋଧୀ କଂଗ୍ରେସ ମଧ୍ୟ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିଏଏକୁ ନେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଶକୁ ବିଭାଜନ କରୁଛନ୍ତି। ଏସବୁ ଭିତରେ ତାଙ୍କୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ସଂଶୋଧିତ ନାଗରିକତ୍ୱ ଆଇନର ପ୍ରାବଧାନ ଉପରେ ରାହୁଲ ୧୦ ଲାଇନ୍‌ କହି ଦେଖାନ୍ତୁ ବୋଲି ସେ କହିଛନ୍ତି। ସବୁଠୁ ଦୁର୍ଭାଗ୍ୟର କଥା ହେଉଛି ଦେଶର ନେତୃତ୍ୱ ନେବାକୁ ଆସିଥିବା ଲୋକଙ୍କୁ ସିଏଏ ବାବଦରେ ଆଦୌ ଜଣାନାହିଁ। ଗତ ସପ୍ତାହେ ହେବ ସିଏଏକୁ ନେଇ ଯେଉଁ ହିଂସା ଘଟିଛି, ସେଥିରେ ବହୁ ସମ୍ପତ୍ତି କ୍ଷତି ଘଟିଛି। ରାହୁଲ ଏନେଇ କୌଣସି ମନ୍ତବ୍ୟ ଦେଇଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି।

Share