Categories: ଜାତୀୟ

ରାସ୍ତା ମଝିରେ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦି ପକାଇଲେ ଭାଜପା ନେତା

ମିର୍ଜାପୁର,୮।୭: ଉତ୍ତର ପ୍ରଦେଶ ମିର୍ଜାପୁରର କୋତବାଲି ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଭାଜପା ନେତା ରାସ୍ତା ମଝିରେ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦି ପକାଇଥିଲେ। ଆଉ କହିଥିଲେ ମୋର ସମ୍ମାନ ଚାଲିଗଲା। ନିଜ ସରକାରରେ ରହି ଏଭଳି ଅପମାନ ସହ୍ୟ କରି ହେଉନାହିଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, କୋତବାଲି ଅଞ୍ଚଳର ନିବି ନିକଟରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ ଚାଲିଥିଲା। ଏମ୍‌ପି ରାମଶକଲ ଘରୁ ଫେରିବା ବେଳେ ଭାଜପାର ପୂର୍ବତନ ଜିଲାଧ୍ୟକ୍ଷ ଓ କାଶୀର ମନ୍ତ୍ରୀ ଅନୀଲ ସିଂହଙ୍କ ଗାଡିକୁ ପୋଲିସ ଅଟକାଇ ଦେଇଥିଲେ। କାଗଜପତ୍ର ଯାଞ୍ଚ ସମୟରେ ବର୍ଷା ଯୋଗୁ ଘରେ ଭୁଲିଯାଇଥିବା କହିବା ପରେ ପୋଲିସ ତାଙ୍କର ଚାଲାଣ କାଟିବା ସହ ଗାଡିକୁ ସିଜ୍‌ କରିବ ବୋଲି କହିଥିଲା। ପୋଲିସ କର୍ମଚାରୀଙ୍କ ଏତିକି କଥାରେ ମନ୍ତ୍ରୀ ମର୍ମାହତ ହୋଇ ରାସ୍ତା ଉପରେ ବସି ଧାରଣା ଦେଇଥିଲେ। ଏନେଇ ସ୍ଥାନୀୟ ଏସ୍‌ପିଙ୍କୁ ଜଣାପଡ଼ିବା ପରେ ସେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହି ସମୟରେ ଅନୀଲ ସିଂହ ଏସ୍‌ପିଙ୍କ ଗୋଡ଼ ଧରି କାନ୍ଦିବା ସହ ତାଙ୍କର ସମ୍ମାନ ଚାଲିଗଲା କହି ଜୋରରେ କାନ୍ଦି ପକାଇଥିଲେ। ସମସ୍ତ ସହଯୋଗ କରିବା ପରେ ବି ପୋଲିସ କର୍ମଚାରୀ ତାଙ୍କୁ ଅପମାନ ଦେଇଛନ୍ତି ବୋଲି ସେ କହିଥିଲେ। ଏହାପରେ ଏସ୍‌ପି ତାଙ୍କୁ ବହୁ ବୁଝାସୁଝା କରିବାରୁ ଅନୀଲ ଶାନ୍ତ ହୋଇ ରାସ୍ତାରୁ ଉଠିଥିଲେ। ଏହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share