ରାସ୍ତା କାଦୁଅ ପଚପଚ, ବାଟରେ ଅଟକିଲା ଆମ୍ବୁଲାନ୍ସ

ଝରିଗାଁ, ୫।୭(ସ୍ବ.ପ୍ର.) : ସାମାନ୍ୟ ବର୍ଷାରେ ରାସ୍ତା କାଦୁଅରେ ପଚପଚ। ଜରୁରିକାଳୀନ ରୋଗୀ, ଗର୍ଭବତୀଙ୍କୁ ଆଣିବା ପାଇଁ ଗାଁରେ ପହଞ୍ଚିପାରୁନି ଆମ୍ବୁଲାନ୍ସ। ଅଧା ବାଟରେ ଅଟକି ରହୁଛି। ପ୍ରସୂତିଙ୍କୁ ପ୍ରସବ ପାଇଁ ଡାକ୍ତରଖାନା ନେବା ଲାଗି ସମ୍ପର୍କୀୟମାନେ ଗାଁରୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣୁଛନ୍ତି। ଏହିପରି ଏକ ଘଟଣା ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତରେ ଗୁରୁବାର ଦେଖିବାକୁ ମିଳିଛି । ଏହି ପଞ୍ଚାୟତର ବାଘଡଙ୍ଗରୀ ଗ୍ରାମର ଦୃପତି ପୂଜାରୀ(୨୫)ଙ୍କ ପ୍ରସବ ଯନ୍ତ୍ରଣା ଗୁରୁବାର ପୂର୍ବାହ୍ନ ୧୦ଟାରେ ହୋଇଥିଲା। ହେଲେ ଗାଁକୁ ମୋବାଇଲ ସେବା ନଥିବା ଯୋଗୁ ପରିବାର ଲୋକେ ଗାଁ ବାହାରେ ଗୋଟିଏ ଉଚ୍ଚ ସ୍ଥାନରେ ରହି ୧୦୮ ଆମ୍ବୁଲାନ୍ସକୁ ବହୁ କଷ୍ଟରେ ମଧ୍ୟାହ୍ନ ୧୨ଟାରେ ଯୋଗାଯୋଗ କରିଥିଲେ। ଅପରାହ୍ନ ୩ଟାରେ ଆମ୍ବୁଲାନ୍ସଟି ରାସ୍ତା ଖରାପ ରହିଥିବା ଯୋଗୁ ବାଘଡଙ୍ଗରୀ ଗ୍ରାମକୁ ନଯାଇ ଯୋଡାଆମ୍ବ ଛକ ନିକଟରେ ଅଟକି ରହିଥିଲା। ଏହାପରେ କୌଣସି ପ୍ରକାରରେ ଆମ୍ବୁଲାନ୍ସ କର୍ମଚାରୀ ମାନେ ଦୃପତିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ଦୃପତିଙ୍କୁ ଏକ ଖଟିଆରେ ପରିବାର ଲୋକେ ବୋହି ପ୍ରାୟ ୧ କି.ମି. କାଦୁଅ ପଚପଚ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ। ଏହାପରେ ଦୃପତିଙ୍କୁ ୧୦୮ଆମ୍ବୁଲାନ୍ସରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଦୃପତି ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି।