ରାସ୍ତା ଅବସ୍ଥା ଶୋଚନୀୟଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଝୁମ୍ପୁରା ୧୬।୭(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଫକିରପୁର, ପଦ୍ମକେଶରପୁର, ବାଘିଆନଶା, କଙ୍କଡାଯୋଡି ଗାଁ ଲୋକେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ଏହାକୁ କେନ୍ଦ୍ର କରି ଗାଁ ଲୋକେ ଶେଷରେ କେନ୍ଦୁଝର ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କୁ ଅଭିଯୋଗ ଜଣାଇଛନ୍ତି।
ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନହବେଡା ଓ ଖେଣ୍ଡରା ପଞ୍ଚାୟତ ଅଧୀନରେ ନହବେଡା- ଫକିରପୁର-ପଦ୍ମକେଶରପୁର ରାସ୍ତାଟି ଅତି ଶୋଚନୀୟ ଅବସ୍ଥାରେ ରହିଛି। ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇ ବିପଦସଙ୍କୁଳ ହୋଇ ପଡି ରହିଛି। ଏହି ରାସ୍ତାରେ ବର୍ଷାଦିନରେ ୧୦୨,୧୦୮ ଆମ୍ବୁଲାନ୍ସ ଯାଇ ପରେ ନାହିଁ। ବର୍ଷ ତମାମ ଯାତାୟାତରେ କଷ୍ଟ ଭୋଗୁଥିବା ଫକିରପୁର, ପଦ୍ମକେଶରପୁର, ଧଉଳିପାଟ, ବାଘିଆନଶା, କଙ୍କଡାଯୋଡି ଗ୍ରାମବାସୀ ବର୍ଷାଦିନରେ ସ୍ବାସ୍ଥ୍ୟ ସେବାରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି। ଆଦିବାସୀ ଅଧ୍ୟୁଷିତ ତଥା ଜଙ୍ଗଲାଞ୍ଚଳରେ ଥିବା ଉପରୋକ୍ତ ଗ୍ରାମ ବାସୀନ୍ଦା କୃଷିଜୀବୀ ଓ ଶ୍ରମିକ ଅଟନ୍ତି। ଶ୍ରମିକମାନେ ଗାଁରୁ ବାହାରି ମୁଖ୍ୟ ରାସ୍ତାକୁ ଆସି ଯୋଡା, ଜୁରୁଡି ଖଣି ଅଞ୍ଚଳକୁ କାମ କରିବା ପାଇଁ ଯାତାୟାତ କରୁଥିବା ବେଳେ ରାସ୍ତାର ଦୟନୀୟ ସ୍ଥିତି ଯୋଗୁ କାମରୁ ଫେରିବାବେଳେ ରାତି ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଗାଁ ଗୁଡିକର ଲୋକସଂଖ୍ୟା ୩ହଜାରରୁ ଊର୍ଦ୍ଧ୍ୱ ହୋଇଥିବାବେଳେ, ନିର୍ମାଣ ହେବାକୁ ଥିବା ୬କି.ମି ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ଦୋହରାଇ ଚାଲିଛନ୍ତି। ଅଭିଯୋଗ ଅନୁସାରେ ୩ବର୍ଷ ହେଲା ଉକ୍ତ ରାସ୍ତାରେ ପଞ୍ଚାୟତ ଦ୍ୱୟ ପକ୍ଷରୁ ମାଟି ମୁଠାଏ ମଧ୍ୟ ପଡି ନାହିଁ। ଓଲଟି ସମୟ ସମୟରେ ଗ୍ରାମବାସୀ ରାସ୍ତାର ଖାଲ ଜାଗା ଗୁଡିକରେ ନିଜ ଶ୍ରମ ଦାନରେ ମାଟି, ମୋରମ ପକାଇଥାନ୍ତି। ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଝୁମ୍ପୁରାସ୍ଥିତ ସହକାରୀ ନିର୍ବାହୀ ଯନ୍ତ୍ରୀ ବଳଭଦ୍ର ମାରାଣ୍ଡିଙ୍କୁ ପଚାରିବାରୁ ରାସ୍ତାଟି କେବଳ ସର୍ଭେରେ ସୀମିତ ରହିଛି। ପଞ୍ଚାୟତ ସମିତି ପକ୍ଷରୁ ବିଧିବଦ୍ଧ ଭାବେ ହସ୍ତାନ୍ତର ହୋଇନାହିଁ। ବିଡିଓ ଜୟଶ୍ରୀ ବେଉରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କଣ ହୋଇଛି ଦେଖୁଛି। ରାସ୍ତା ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ।