ରାସ୍ତା ଅବରୋଧକରି ଗାଡ଼ି ଧୋଇବା ବେଳେ ପୋଲିସ ଚଢ଼ାଉ: ଗାଡି ଧୁଆ ଯନ୍ତ୍ର ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରଦେଇ ଯାଇଥିବା ୨ ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ରଖି ଧୋଉଥିବା ବେଳେ ପୋଲିସ ଚଢ଼ାଉକରି ଗାଡି ଧୁଆ ଯନ୍ତ୍ରକୁ ଜବତ କରିଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସୋମବାର ରାତି ପ୍ରାୟ ୮ଟାରେ ଆଇଡିବିଆଇ ବ୍ୟାଙ୍କ ସମ୍ମୁଖରେ ଟ୍ରାଫିକ ଜାମ୍‌ ହୋଇଥିଲା। ଘଟଣାସ୍ଥଳକୁ ପୋଲିସ ଯିବାପରେ ସେଠାରେ ଜଣେ ବ୍ୟବସାୟୀ ଗାଡ଼ି ଧୋଇବା ପାଇଁ ରାସ୍ତାକୁ ଅତିକ୍ରମ କରିଥିଲେ। ଫଳରେ ଟ୍ରାଫିକ ଜାମ୍‌ ସମସ୍ୟା ଉପୁଜିଥିଲା। ବିଶ୍ୱକର୍ମା ପୂଜା ଉପଲକ୍ଷେ ଭାରିଯାନ ଗାଡି ଧୁଆ ଯନ୍ତ୍ର ଲଗାଇ ସେଠାରେ ଗାଡି ଧୁଆ ବ୍ୟବସାୟ ଚାଲିଥିଲା। ଏପରିକି ଗାଡି ଧୁଆ ପାଣିରେ ରାସ୍ତାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ କାଦୁଅ ହୋଇଯାଇଥିଲା। ଏ ନେଇ ସ୍ଥାନୀୟ ଲୋକ ମଧ୍ୟ ଅଭିଯୋଗ କରିଥିଲେ। ପରେ ସମସ୍ୟା ଉପୁଜିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।