ରାସ୍ତାରେ ଧାନଗଛ ପୋତିଲେ ଗ୍ରାମବାସୀ

ରୂପ୍‌ସା, ୧୩।୯(ଡି.ଏନ.ଏ.)-ବର୍ଷାଦିନେ ଯିବାଆସିବାରେ ହୀନସ୍ତା ହେବାକୁ ପଡୁଛି। ଚାଲି ଚାଲି ହେଉ କି ସାଇକେଲ କି ବାଇକ୍‌ରେ ହେଉ ଏହି କାଦୁଅ ପଚପଚ ରାସ୍ତାରେ ଯା’ଆସ କରିବାର କଷ୍ଟକର ହୋଇପଡୁଛି। ୧୦ବର୍ଷ ଧରି ଉକ୍ତ ରାସ୍ତାରେ ମୋରମ ମୁଠାଏ ପଡ଼ିନି କି ମରାମତି ହୋଇନାହଁି। ଜନପ୍ରତିନିଧିଙ୍କୁ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନି ବୋଲି ବାଲେଶ୍ୱର ସଦର ବ୍ଲକ ଛାନୁଆ ପଞ୍ଚାୟତ ତାଳମୁଣ୍ଡା ଗାଁର ବାସିନ୍ଦା ଅଭିଯୋଗ କରିଛନ୍ତି। ଶେଷରେ ଅନ୍ୟ ଉପାୟ ନ ପାଇ ଗ୍ରାମବାସୀ ଉକ୍ତ ରାସ୍ତାରେ ଧାନଗଛ ପୋତି ପ୍ରତିବାଦ ଜଣାଇଛନ୍ତି।
୧୩ ଓ ୧୪ନଂ. ୱାର୍ଡ଼କୁ ନେଇ ତାଳମୁଣ୍ଡା ଗାଁ। ଏହି ଗାଁର ୨ଟି ୱାର୍ଡ଼ରେ ଭୋଟର ସଂଖ୍ୟା ୬୪୦। ମୋଟ ଲୋକସଂଖ୍ୟା ୧ହଜାରରୁ ଊର୍ଦ୍ଧ୍ୱ। ଗାଁରେ ବାସ କରୁଥିବା ଦେଢ଼ଶହ ପରିବାରରୁ ପ୍ରାୟ ୪୦ ପରିବାର ଅନୁସୂଚିତ ଜନଜାତି ବର୍ଗର। ଏହି ୨ଟି ୱାର୍ଡ଼ର ମୁଖ୍ୟ ରାସ୍ତା ଛାନୁଆ ହାଟରୁ ୨କି.ମି. ଦୀର୍ଘ ବିଶିଷ୍ଟ ପଞ୍ଚୁପଡ଼ା ନଦୀ ପର୍ଯ୍ୟନ୍ତ ରହିଛି। ଏହି ରାସ୍ତାର ଅବସ୍ଥା ନ କହିବା ଭଲ। ମାଟି କାଦୁଅପୂର୍ଣ୍ଣ ରାସ୍ତା ଯୋଗୁ ଗାଈଗୋରୁ, ଛେଳି ଆଦି ଗୃହପାଳିତ ପ୍ରାଣୀଙ୍କୁ ପଦାକୁ ନେଇ ହେଉନାହଁି। ପିଲାମାନେ ସ୍କୁଲ, କଲେଜ ଯିବାରେ ଅସୁବିଧା ଭୋଗୁଛନ୍ତି। ମହିଳା, ପୁରୁଷ ବିଲବାଡ଼ି, ହାଟବଜାର ଯା’ଆସ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ରାସ୍ତା ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଜନପ୍ରତିନିଧି, ପ୍ରଶାସନକୁ ଅଭିଯୋଗ କରିଥିଲେ ହେଁ କୌଣସି ସୁଫଳ ମିଳି ନାହଁି। ଶୁକ୍ରବାର ଗ୍ରାମବାସୀ ଲକ୍ଷ୍ମୀକାନ୍ତ ଜେନା, ନିତ୍ୟାନନ୍ଦ ପ୍ରଧାନ, କଳ୍ପନା ପାତ୍ର, ଫୁଲ ସୋରେନ, ଲାଛ ମାଝି, କାଶୀନାଥ ସୋରେନଙ୍କ ସମେତ ବହୁ ମହିଳା, ପୁରୁଷ ଏହି ରାସ୍ତାରେ ଧାନଗଛ ପୋତି ପ୍ରତିବାଦ କରିଛନ୍ତି। ତୁରନ୍ତ ରାସ୍ତା ମରାମତି ଦିଗରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ସୁବୋଧ ପ୍ରଧାନ, ରବୀନ୍ଦ୍ର ଗିରି, ମାଳତୀ ମୁର୍ମୁ ଓ ଗୀତାଞ୍ଜଳି ମାଇତି ପ୍ରମୁଖ ଚେତାବନୀ ଦେଇଛନ୍ତି।