ରାସ୍ତାରେ ଜୋତା ପଲିଶ୍‌ କରୁଥିବା ସନି ଏବେ ଇଣ୍ଡିଆନ ଆଇଡଲ୍‌-୧୧ର ବିଜେତା

ମୁମ୍ବାଇ: ଦିନ ଥିଲା ରାସ୍ତାକଡ଼ରେ ବସି ଏହି ଯୁବକ ଜୋତା ପଲିଶ୍‌ କରୁଥିଲେ। ହେଲେ ଆଜି ସେ ଇଣ୍ଡିଆନ ଆଇଡଲ ସିଜିନ-୧୧ର ବିଜେତା। ସେ ଆଉ କିଏ ନୁହଁନ୍ତି ପଞ୍ଜାବ ଭଟିଣ୍ଡାର ସନି ହିନ୍ଦୁସ୍ତାନୀ। ଗତକାଲି ପପୁଲାର ରିୟଲଟି ଶୋ’ ଇଣ୍ଡିଆନ ଆଇଡଲ ସିଜିନ-୧୧ର ଗ୍ରାଣ୍ଡ ଫିନାଲେ ଥିଲା। ଏଥିରେ ସନି ହିନ୍ଦୁସ୍ତାନୀ ବିଜେତା ହେବା ସହ ଏହି ଖା୍ୟାତି ହାସଲ କରିଥିଲେ। ତାଙ୍କୁ ଉତ୍ସାହିତ କରିବା ପାଇଁ ଶୋ’ରେ ତାଙ୍କ ପରିବାର ମଧ୍ୟ ସାମିଲ ହୋଇଥିଲେ। ଶୋ’ର ଆଙ୍କର ତାଙ୍କ ନାଁ ଘୋଷଣା କରିବା ସମୟରେ ସେ ହତବାକ୍‌ ହେବା ସହ ଭାବୁକ ହୋଇପଡ଼ିଥିଲେ। ସିଜିନ୍‌ ୧୧ର ବିଜେତା ହେବା ପରେ ତାଙ୍କୁ ଏକ ଟ୍ରଫି ଓ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି। ଏଥିସହ ଅନ୍ୟ ରର୍ନସଅପ୍‌ଙ୍କୁ ୫ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡ଼ିଛି। ଏହାପରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ନିଜ ସଂଘର୍ଷର ପୂରା ଶ୍ରେୟ ମା’ଙ୍କୁ ଦେଇଥିଲେ। ଏଥିସହ ଏହି କାର୍ଯ୍ୟକ୍ରମରେ ତାଙ୍କର ପୁରା ଯାତ୍ରାକୁ ସନି ମନେପକାଇଥିଲେ।

ଶୋ’ରେ ଆସିବା ପରେ ସନିଙ୍କ ନିଜ ଘରର ଅବସ୍ଥା ବିଷୟରେ କହିଥିଲେ। ଘରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ସେ ପୂର୍ବରୁ ଜୋତା ପଲିଶ୍‌ କରୁଥିଲେ ଏବଂ ତାଙ୍କ ମା’ ଅନ୍ୟ ଘରେ କାମ କରି ପରିବାର ଚଳାଉଥିଲେ ବୋଲି ସେ କହିଥିଲେ। ତାଙ୍କର ଏହି ଦୁଃଖଦ କାହାଣୀ ଶୁଣି ସବୁ ଜଜ୍‌ ସେହି ସମୟରେ ଭାବୁକ ହୋଇପଡ଼ିଥିଲେ। ଏହି ଶୋ’ ୨୦୧୯ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ଶୋ’ରେ ଆସିବା ସମୟରେ ସନିଙ୍କ ମନରେ ଟିକେ ଭୟ ଥିବା ବେଳେ ଅଳ୍ପବହୁତ ସେ ନର୍ଭସ ଥିଲେ। ହେଲେ ସମୟକ୍ରମେ ତାଙ୍କର ସଙ୍ଗୀତର ଜାଦୁ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ଆକୃଷ୍ଟ କରିଥିଲା। ସଙ୍ଗୀତର ଏହି ଯାତ୍ରା ମଧ୍ୟରେ ସେ କଙ୍ଗନା ରଣାଓ୍ବତଙ୍କ ଫିଲ୍ମ ‘ପଙ୍ଗା’ରେ ମଧ୍ୟ ଗୀତ ଗାଇଛନ୍ତି। ଏଥିସହ ସେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଶଙ୍କର ମହାଦେବନଙ୍କ ସହ ଗୀତ ଗାଇଛନ୍ତି। ତାଙ୍କ ଗୀତ ଶୁଣିବା ପରେ ଶଙ୍କର ତାଙ୍କ ସହ ଗୀତ ଗାଇବାକୁ ନିଷ୍ପତ୍ତି ନେଇଥିଲେ।

Share