ରାସ୍ତାରେ କରୋନା ଆପଣଙ୍କୁ ଖୋଜୁଛି, ଘରେ ରୁହନ୍ତୁ; ଜୀବନଶୈଳୀ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହୁଅନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଗତ ୩ ଦିନ ଜନତା କର୍ଫ୍ୟୁ ଏବଂ ଲକ୍‌ଡାଉନ୍‌କୁ ନେଇ ଜନଜୀବନ ଅସ୍ଥିର ହୋଇପଡ଼ିଛି। ମଙ୍ଗଳବାର ଲକ୍‌ଡାଉନ୍‌ର ୨ୟ ଦିନ। ଆସନ୍ତା ୨୯ ତାରିଖ ଯାଏ ଏହା ଚାଲିବ। ତେବେ ଏହାଦ୍ୱାରା ଅର୍ଥନୈତିକ ପ୍ରଭାବ ବିରାଟ ଆକାରରେ ପ୍ରଭାବ। ହେଲେ ମଣିଷର ପ୍ରାଣ ବଞ୍ଚିଲେ ଆଗାମୀ ଦିନରେ ଏହାସହ ଯୁଦ୍ଧ କରାଯିବ। ଏଥିପାଇଁ ଲକ୍‌ଡାଉନ୍‌ କରିବାକୁ ପଡ଼ିଛି। ମୋଟାମୋଟି ଦେଖିବାକୁ ଗଲେ ଏହା ୯୦% ସଫଳ ହୋଇଛି। ହେଲେ କିଛି ଲୋକ ପୋଲିସ ସାଙ୍ଗରେ ଲୁଚକାଳି ଖେଳୁଥିବା ଦେଖିବାକୁ ମିଳୁଛି। ଏହା ପୋଲିସ ସହ ଲୁଚକାଳି ଖେଳିବା ସମୟ ନୁହେଁ। କରୋନା ଆପଣଙ୍କୁ ମଧ୍ୟ ରାସ୍ତାରେ ଖୋଜୁଛି। ଲକ୍‌ଡାଉନ୍‌କୁ ଗମ୍ଭୀରତାର ସହ ନିଅନ୍ତୁ ବୋଲି ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, କରୋନା ମୁକାବିଲାର ପ୍ରଭାବ ଲୋକଙ୍କ ମାନସିକତା ଉପରେ ପଡ଼ିବ। ଏଣୁ ଏବେଠାରୁ ଜୀବନଶୈଳୀ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରୁହନ୍ତୁ। କାରଣ ଆବଶ୍ୟକୀୟ ୧୦୦ ରୁ ୨୦କୁ ସମସ୍ତ ବ୍ୟବସ୍ଥା ଖସିବାର ସମ୍ଭାବନା ରହିଛି। ଏବେ ଭାରତରେ କରୋନା ଭୂତାଣୁ ପ୍ରବେଶର ପ୍ରାରମ୍ଭିକ ସ୍ଥିତି। ଆଗକୁ ବିସ୍ଫୋରଣ ଘଟିପାରେ। ସେଥିପାଇଁ ମନୋବଳ ଦୃଢ଼ ରଖିବାକୁ ପଡ଼ିବ। ଏହି ସମୟରେ କେବଳ ବିଶ୍ୱାସ, ସଦ୍‌ଭାବନା, ଦୃଢ଼ ମନୋବଳ, ସଂଗତି ଲୋଡ଼ା। ସମସ୍ତଙ୍କ ଜୀବନପ୍ରତି ବିପଦ ରହିଛି। ଏଣୁ ଆବଶ୍ୟକଠାରୁ ଅଧିକ ପରିମାଣର ଖାଦ୍ୟପଦାର୍ଥ ଘରେ ରଖନ୍ତୁ ନାହିଁ। ସୁଷମ ଖାଦ୍ୟ ଖାଆନ୍ତୁ। ଯୋଗ କରନ୍ତୁ। ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରଭାବିତ ହୋଇପାରନ୍ତି। ଏଣୁ ଘରେ ରୁହନ୍ତୁ ବୋଲି ବାଗ୍‌ଚୀ କହିଛନ୍ତି।