ରାସ୍ତାରୁ ପାଇଥିବା ପର୍ସ ଫେରାଇଲେ ଜୋତା ଦୋକାନୀ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ବୃତ୍ତିରେ ଜୋତା ଦୋକାନୀ। ଅଭାବ କେବେ ପିଛା ଛାଡ଼େନା। ସୀମିତ ରୋଜଗାରରେ ଘର ଚଳେ। ଅଭାବ ସତ୍ତ୍ୱେ ଟଙ୍କା ଲୋଭ ତାଙ୍କୁ କବଳିତ କରିପାରି ନାହିଁ। ଟଙ୍କା ଭର୍ତ୍ତି ପର୍ସ ରାସ୍ତାକଡ଼ରୁ ମିଳିଥିଲା। ନିଜ ଖର୍ଚ୍ଚରେ ପର୍ସ ମାଲିକଙ୍କ ଠିକଣା ଖୋଜିଖୋଜି ତାଙ୍କୁ ହସ୍ତାନ୍ତର କରିଛନ୍ତି। ଏଭଳି ମାନବିକତାର ପରିଚୟ ଦେଇଛନ୍ତି ଜୋତା ଦୋକାନୀ ସୋନପୁର ତରଭାର ବର୍ଦ୍ଧମାନ ମେହେର।
ତରଭାଠାରେ ଏକ ଛୋଟିଆ ଜୋତା ଦୋକାନ କରିଛନ୍ତି ୨୮ ବର୍ଷୀୟ ବର୍ଦ୍ଧମାନ। ଗତ ଡିସେମ୍ବର ୨୭ରେ ସେ କୌଣସି କାମରେ ଭୁବନେଶ୍ୱର ଆସିଥିଲେ। ରସୁଲଗଡ଼ ଛକ ପାଖ ପୋଲ ତଳୁ ତାଙ୍କୁ ଏକ ମନିପର୍ସ ମିଳିଥିଲା। ପର୍ସ ଭିତରେ ପ୍ରାୟ ୧୦ ହଜାର ଟଙ୍କା ସହ ଆଧାର କାର୍ଡ, ପ୍ୟାନ୍‌ କାର୍ଡ, ୨ଟି ଏଟିଏମ୍‌ କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ଥିଲା। ଆଧାର କାର୍ଡରେ ଦିଲ୍ଲୀ ଠିକଣା ଲେଖାଯାଇଥିଲା। କିନ୍ତୁ ଯୋଗାଯୋଗ ପାଇଁ କୌଣସି ଫୋନ୍‌ ନମ୍ବର ନ ଥିଲା। ଭୁବନେଶ୍ୱରରୁ କାମ ସରିବା ପରେ ସେ ତରଭା ଫେରିଯାଇଥିଲେ। କିନ୍ତୁ ପର୍ସ ଫେରାଇବା ପାଇଁ ସର୍ବଦା ଚିନ୍ତିତ ଥିଲେ। ପର୍ସରେ ଥିବା କେତେକ ସରକାରୀ କାଗଜପତ୍ରରୁ ପର୍ସଟି ଦେବଦତ୍ତ ସାମନ୍ତରାୟଙ୍କର ବୋଲି ଜାଣିପାରିଥିଲେ। ହେଲେ ଯୋଗାଯୋଗାର କୌଣସି ମାଧ୍ୟମ ନ ଥିଲା। ପର୍ସ ଭିତରେ ଥିବା ଏଟିଏମ୍‌ କାର୍ଡକୁ ଧରି ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଦେବଦତ୍ତଙ୍କ ଫୋନ୍‌ ନମ୍ବର ସଂଗ୍ରହ କରିଥିଲେ। ଉକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ। ଦେବଦତ୍ତ ଭୁବନେଶ୍ୱର ଆସି ବୁଧବାର ବର୍ଦ୍ଧମାନଙ୍କ ଠାରୁ ପର୍ସ ସଂଗ୍ରହ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଦେବଦତ୍ତ ହେଉଛନ୍ତି ବିଶିଷ୍ଟ ଫୁଟବଲ୍‌ର ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ସାନ ଭାଇ। ସେ ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରକୁ ଆସିଥିଲେ। ଏହି ସମୟରେ ଫର୍ସ ହଜିଯାଇଥିଲା।