ରାସ୍ତାକଡ଼ରେ ଡିମିରି ଫଳର ପସରା

କେନ୍ଦୁଝର,୨୮।୫(ସ୍ବ.ପ୍ର.)-ବନବାସୀ ବର୍ଷ ତମାମ ଜଙ୍ଗଲ ଉପରେ ନିର୍ଭର କରି ବିଭିନ୍ନ ପ୍ରକାରର ଫଳମୂଳ ଓ କୋଳି ଆଦି ସଂଗ୍ରହ କରିଥାନ୍ତି। ଖରାଦିନେ ଗଛରେ ଡିମିରି ଫଳ ପାଚିଥାଏ। ଏହାର ଔଷଧୀୟ ଗୁଣ ଥିବାରୁ ବନବାସୀମାନେ ଏହାକୁ ସଂଗ୍ରହ କରି ବିକ୍ରିବଟା କରିଥାନ୍ତି। ଅନେକ ଏହାକୁ ଅଦରକାରୀ ଫଳ ବୋଲି କହିଥାନ୍ତି। କିନ୍ତୁ ଏଥିରୁ ଆୟୁର୍ବେଦୀୟ ଔଷଧ ତିିଆରି ହୋଇଥାଏ। ଏହି ଫଳକୁ ଖାଇଲେ ପେଟରେ ବଦହଜମି ଦୂର ହେବା ସହ ଲାଳ ଅଂଶ କମିଥାଏ ବୋଲି ବନବାସୀମାନେ ମଧ୍ୟ କହିଥାନ୍ତି।
ଔଷଧୀୟ ଗୁଣ ଯୋଗୁ ସହରାଞ୍ଚଳରେ ଏହି ଫଳର ଚାହିଦା କେତେକାଂଶରେ ରହିଛି। ଏଣୁ ବନବାସୀମାନେ ଡିମିର ଫଳ ସଂଗ୍ରହ କରି ହାଟବଜାର ଓ ରାସ୍ତା କଡ଼ରେ ବସି ବିକ୍ରି କରିଥାନ୍ତି। ଏହାକୁ ଓଜନରେ ବିକା ଯାଇ ନ ଥାଏ। ବନବାସୀ ମହିଳା ପୁରୁଷ ଐହାକୁ କୁଢ଼ କୁଢ଼ ଆକାରରେ ରଖି ଭାଗ ପିଛା ୧୦ ଟଙ୍କାରେ ବିକ୍ରି କରିଥାନ୍ତି । ପ୍ରାକୃତିକ ପରିବେଶରେ ଆପେ ଆପେ ଡିମିରି ଗଛ ଉଠିଥାଏ। ବନୀକରଣ ଲାଗି ଏହାର ମଞ୍ଜିକୁ ବ୍ୟବହାର କରାଯାଇ ପାରେ ନାହିଁ । ବର୍ତ୍ତମାନ ଜଙ୍ଗଲ ପରିବେଶ କ୍ରମେ ନଷ୍ଟ ହେଉଥିବାରୁ ଏହି ଗଛ ସଂଖ୍ୟା ଲୋପ ପାଇବାକୁ ବସିଲାଣି। ଚଢ଼େଇ, ମୂଷା, ଛେଳି ମଧ୍ୟ ଡିମିର ଫଳ ଖାଇଥାନ୍ତି। ବନବାସୀମାନେ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରୁଥିବା କହନ୍ତି । ଡିମିର ଫଳ ସ୍ବାସ୍ଥ୍ୟ ଲାଗି ହିତକାରୀ ବୋଲି ମତ ଦିଅନ୍ତି କବିରାଜ ବିଶାରଦ ହରେକୃଷ୍ଣ ମହାନ୍ତ।