ରାସାୟନିକ ଦୁର୍ଘଟଣା ଓ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

ପୁରୀ ଅଫିସ,୩୧ା୧୨: ଜିଲାରେ ରାସାୟନିକ ଦୁର୍ଘଟଣା ଓ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଜିଲାର ଆଶଙ୍କା ପ୍ରବଣ କାରଖାନାର ପ୍ରତିନିଧିମାନେ ଯୋଗଦେଇଥିଲେ। ରାସାୟନିକ ଦୁର୍ଘଟଣା ଓ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଥିଲେ। ବୈଠକ ଆରମ୍ଭରେ କାରଖାନା ଓ ବାସ୍ପିତ୍ର(ବଏଲର) ବିଭାଗର ଭୁବନେଶ୍ୱର ମଣ୍ଡଳ ଉପନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା ଜିଲାର କାରଖାନାଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସହ ନିର୍ଦ୍ଦେଶିକା ଇଂ. ଅର୍ଚ୍ଚନା ଦାଶ ଆଶଙ୍କା ପ୍ରବଣ ଦ୍ରବ୍ୟମାନଙ୍କର ସବିଶେଷ ବିବରଣୀ ରଖିଥିଲେ। ଜିଲାରେ ଥିବା କାରଖାନାଗୁଡ଼ିକରେ ପ୍ରତି ମାସରେ ମକ୍‌ଡ୍ରିଲ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବ। ଜିଲାରେ ଏ ସଂକ୍ରାନ୍ତୀୟ ନୂତନ କମିଟି ମଧ୍ୟ ଗଠନ କରାଯିବ। ବୈଠକରେ ଜିଲା ଜରୁରିକାଳୀନ ଅଧିକାରୀ ଇତିଶ୍ରୀ ନାୟକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଦୀପ ସ୍ବାଇଁ, ଜିଲା ମୁଖ୍ୟ କୃଷି ଅଧିକାରୀ ଏସ୍‌. ଚନ୍ଦ୍ରଶେଖର ରାଓ, ସହ ଅଗ୍ନିଶମ ଅଧିକାରୀ ପ୍ରଦୀପ ରାଉତ, ଯୋଗାଣ ଅଧିକାରୀ ତୁଷାରକାନ୍ତି ଦେଓ ପ୍ରମୁଖ ଅନ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।