Categories: ଜାତୀୟ

ରାଷ୍ଟ୍ରପତି ଶାସନ ୬ ମାସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୯ା୬(ପି.ଟି): ଜମ୍ମୁ-କଶ୍ମୀରରେ ଆତଙ୍କବାଦର ମୂଳୋତ୍ପାଟନକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଥିବା ଶୁକ୍ରବାର ଲୋକ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ସେଠାରେ ରାଷ୍ଟ୍ରପତି ଶାସନ ସମୟସୀମା ଆଉ ୬ ମାସ ବଢ଼ାଇବା ପାଇଁ ଶାହ ଆଣିଥିବା ବୈଧାନିକ ପ୍ରସ୍ତାବ ଲୋକ ସଭାର ଅନୁମୋଦନ ଲାଭ କରିଛି। ରାଜ୍ୟ ବିଧାନସଭା ଭଙ୍ଗ ହେବା ସହ ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ (ଇସି) ନିଷ୍ପତ୍ତି ନେଇଥିବାରୁ ରାଷ୍ଟ୍ରପତି ଶାସନ ଆସନ୍ତା ଜୁଲାଇ ୩ରୁ ଆଉ ୬ ମାସ ବଢ଼ାଇବାର ଆବଶ୍ୟକତା ରହିଥିବା ସେ କହିଥିଲେ।
ଆସନ୍ତା ୩୦ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅମରନାଥ ଯାତ୍ରା ଚାଲିବ। ଏହା ପରେ ବକରଓ୍ବାଲ ସମ୍ପ୍ରଦାୟ ପର୍ବତ ଆରୋହଣ କରନ୍ତି ଓ ସେମାନେ ଅକ୍ଟୋବରରେ ଫେରିଥାନ୍ତି। ତେଣୁ ବର୍ଷ ଶେଷ ବେଳକୁ ନିର୍ବାଚନ ହେବ । ଆତଙ୍କବାଦକୁ କଦାପି ବରଦାସ୍ତ କରାଯିବନି। ଏହାର ମୂଳୋତ୍ପାଟନ ଲାଗି ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଆସୁଛନ୍ତି। ପୂର୍ବରୁ ନିର୍ବାଚନ ବେଳେ ଜମ୍ମୁ-କଶ୍ମୀରରେ ରକ୍ତପାତ ହେଉଥିଲା। ଏଥର ଲୋକ ସଭା ନିର୍ବାଚନ ବେଳେ ଜଣେ ହେଲେ ନିର୍ବାଚନୀ ହିଂସାରେ ପ୍ରାଣ ହରାଇ ନାହାନ୍ତି। ଭୋଟହାର ବଢ଼ିବା ସହ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣରେ ରହିଛି। ପ୍ରଥମ ଥର ଲାଗି ଜମ୍ମୁ ଓ ଲଦାଖର ଲୋକେ ରାଜ୍ୟର ଅଂଶବିଶେଷ ବୋଲି ହୃଦୟଙ୍ଗମ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।
ଆଲୋଚନା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀ କଶ୍ମୀର ବିଭାଜନ ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିବାରୁ ଏହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା। କଂଗ୍ରେସ ଓ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପାଇଁ ଆମେ ଏକତୃତୀୟାଂଶ କଶ୍ମୀରୀବାସୀ ଆମ ସହିତ ନାହାନ୍ତି ବୋଲି ଶାହ କହିଥିଲେ। ରାଜ୍ୟ ସରକାରଙ୍କୁ ବରଖାସ୍ତ କରି କେନ୍ଦ୍ରୀୟ ଶାସନ ଲାଗୁ କରିବାରେ କଂଗ୍ରେସ ଦଳ ଧାରା ୩୫୬କୁ ବ୍ୟବହାର କରିଆସିଛି ବୋଲି ସେ କହିଥିଲେ। ମୋଟ ୧୩୨ ଥର ଧାରା ୩୫୬ର ପ୍ରୟୋଗ କରାଯାଇଥିବାବେଳେ ସେଥିରୁ କଂଗ୍ରେସ ସରକାର ସମୟରେ ୯୩ ଥର ବ୍ୟବହାର କରାଯାଇଛି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ବୋଲି ଏହି ଅବସରରେ ଶାହ କହିଥିଲେ।

Share