ରାଷ୍ଟ୍ରପତିଙ୍କଠୁ ପୁରସ୍କାର ପାଇବେ ଖୁଲଣା

ଜଗତ୍‌ସିଂହପୁର ଅଫିସ, ୧।୫: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଲେବର ରୁମ ଇନଚାର୍ଜ ଖୁଲଣା ବାରିକ ୨୦୨୧ ଜାତୀୟ ଫ୍ଲୋରେନ୍ସ ନାଇଟ୍‌ଙ୍ଗେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସମ୍ମାନିତ ହେବେ ବୋଲି ମଙ୍ଗଳବାର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ ଦର୍ଶାଇଛନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟ ଲେବର ରୁମ୍‌ରେ ବାରିକଙ୍କ ନିରବଚ୍ଛିନ୍ନ ସେବା ତାଙ୍କୁ ଏହି ସଫଳତା ଦେଇଛି। ଗର୍ଭବତୀ, ପ୍ରସୂତିମାନଙ୍କୁ ଗର୍ଭକାଳୀନ, ପ୍ରସବକାଳୀନ ଓ ପ୍ରସବ ପରବର୍ତ୍ତୀ ପରାମର୍ଶ ଦେବା କ୍ଷେତ୍ରରେ ତାଙ୍କର ସୁନାମ ରହିଛି। କରୋନା ମହାମାରୀ ସମୟରେ ସେ ଜୀବନକୁ ବାଜି ଲଗାଇ ସେବା ଯୋଗାଇ ଦେଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବାରିକ ଖୁସିବ୍ୟକ୍ତ କରିବା ସହ ଆଗାମୀ ଦିନରେ ସେବା ପାଇଁ ଅଧିକ ଉତ୍ସାହିତ ହେବେ ବୋଲି କହିଛନ୍ତି।