Categories: ଫୁରସତ

ରାଶନ ପାଇଁ ଲୋକେ ରାସ୍ତାରେ ଆଣ୍ଟେନା ଧରି ବୁଲୁଛନ୍ତି

ଯୋଜନାରୁ ଦୁର୍ନୀତି ଦୂର କରିବା ପାଇଁ ଏବେ ରାଶନ ବ୍ୟବସ୍ଥାକୁ ଅନଲାଇନ କରାଯାଇଛି। ଏହା ସ୍ବାଗତଯୋଗ୍ୟ । କିନ୍ତୁ ଝାଡ଼ଖଣ୍ଡର ଖୁଣ୍ଟି ଅଞ୍ଚଳର ନିଲମା ପଞ୍ଚାୟତ ପାଇଁ ଏହି ଅନଲାଇନ ବ୍ୟବସ୍ଥା ପୂରା ଅଡୁଆ ହୋଇଯାଇଛି। ବର୍ଷା ହେବାରୁ ନିଲମା ଗାଁ ସମେତ ଆଖପାଖର ବହୁ ଗାଁରେ ନେଟ୍‌ଓ୍ବର୍କ ଆସୁନାହିଁ। ଲୋକମାନେ ରାଶନ ଦୋକାନକୁ ଯାଇ ବାରମ୍ବାର ଫେରୁଛନ୍ତି। ରାଶନ ପାଇ ପାରୁନାହାନ୍ତି। ଯେଉଁ ବ୍ୟକ୍ତି ରାଶନ ନେବେ ତାଙ୍କ ଅଙ୍ଗୁଳି ମେଶିନରେ ଲଗାଇବା ଜରୁରୀ । ନେଟଓ୍ବର୍କ ନ ଥିବାରୁ ଏହା ସମ୍ଭବ ହୋଇପାରୁନାହିଁ। ଏମିତି କି ଲୋକମାନେ ଡିଲର ପାଖରେ ପହଞ୍ଚତ୍ବାବେଳକୁ ଯଦି ନେଟଓ୍ବର୍କ ନଥିବା ଦେଖୁଛନ୍ତି ଯେଉଁ ମେଶିନରେ ଅଙ୍ଗୁଳି ଲଗାଯାଏ ତାହାକୁ ତାର ଓ ଆଣ୍ଟେନା ସହ ଧରି ରାସ୍ତାରେ ବୁଲୁଛନ୍ତି। ଯେମିତି ନେଟଓ୍ବର୍କ ଆସୁଛି ସାଙ୍ଗେସାଙ୍ଗେ ସେମାନେ ଏକାଠି ହୋଇ ଅଙ୍ଗୁଳି ଲଗାଇବା ବେଳକୁ ତାହା ଚାଲିଯାଉଛି। ଲୋକମାନଙ୍କ କହିବା ମୁତାବକ ଘରେ ପିଲାମାନେ ଭୋକରେ ରହୁଛନ୍ତି, କିନ୍ତୁ ରାଶନ ମିଳୁନାହିଁ। ଏବେ ବର୍ଷାରେ ବିଲବାଡ଼ିରେ ଚାଷ କାମ ଚାଲିଥିବାରୁ କାମ ବନ୍ଦ କରି ରାଶନ ଦୋକାନକୁ ଆସି ଫେରିବା ଦ୍ୱାରା କ୍ଷତି ହେଉଛି ବୋଲି କହନ୍ତି ଗ୍ରାମବାସୀମାନେ। ରାଶନ ବ୍ୟବସ୍ଥାକୁ ଅନ୍‌ଲାଇନରେ ଯୋଡିବା କେତେ ସଫଳ ହେଉଛି ତାହା ଏଥିରୁ ଜଣାପଡୁଛି।

Share