ରାମାୟଣ ପ୍ରସାରଣର ବିଶ୍ୱ ରେକର୍ଡ ଦାବି ନେଇ ବିବାଦ: ସ୍ପଷ୍ଟୀକରଣ ଦେଲା ଦୂରଦର୍ଶନ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଟିଆରପି ରେଟିଂରେ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ମଧ୍ୟ କୁହାଯାଇଥିଲା ଯେ, ରାମାୟଣ ହେଉଛି ବିଶ୍ୱର ସବୁଠୁ ଅଧିକ ଲୋକ ଦେଖୁଥିବା କାର୍ଯ୍ୟକ୍ରମ। ଏହା ଏପ୍ରିଲ ୧୬ରେ ପ୍ରସାରିତ ହୋଇଥିଲା। ଏହାକୁ ୭ କୋଟି ୭୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି। କିନ୍ତୁ ବର୍ତ୍ତମାନ ଶୋ’ର ଦର୍ଶକ ଏବଂ ବିଶ୍ୱ ରେକର୍ଡ ଦାବି ଉପରେ ବିବାଦ ଜୋର୍‌ ଧରିଛି। ଦୂରଦର୍ଶନ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି।
ଏହାକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ଉପରେ ପ୍ରସାର ଭାରତୀ ସିଇଓ ଶଶି ଶେଖର କହିଛନ୍ତି, ଆମେ ଜାଣୁ ଯେ, ଟିଭି ରେଟିଂ ସହିତ ବାହାରେ ମଧ୍ୟ ଅନେକ ଲୋକ ଏହି ଶୋ’ ଦେଖିଛନ୍ତି। ମୋବାଇଲ ଟିଭି ସେବା, ଯାହା ଜିଓ ଟିଭି ଏବଂ ଏମ୍‌ଏକ୍ସ ପ୍ଲେୟାର ପରି ଡିଡି ଚ୍ୟାନେଲ ସହିତ ଆସେ।‘ଯଦି ଆମେ ଏହି ସମସ୍ତ ଆକଳନ ଯୋଡ଼ିବା ଏବଂ ରାମାୟଣର ଦର୍ଶକଙ୍କ ବିଷୟରେ ଆଲୋଚନା କରିବା, ତେବେ ଲକ୍‌ଡାଉନ୍‌ ସମୟରେ ଏହାକୁ ୨୦୦ ମିଲିୟନ ଅର୍ଥାତ୍‌ ୨୦ କୋଟିରୁ ଅଧିକ ଲୋକ ଦେଖିଛନ୍ତି।
ସେ କହିଛନ୍ତି, ଏହାର ସଠିକ୍‌ ରେକର୍ଡ ଯଦିଓ ନାହିଁ ତଥାପି ଲକ୍‌ଡାଉନ୍‌ ସମୟରେ ଅନେକ ପରିବାର ଏକାଠି ହୋଇ ଏହି ଶୋ’ ଦେଖୁଛନ୍ତି। ଲୋକଙ୍କୁ ଘରେ ସୁରକ୍ଷିତ ରଖିବା ପାଇଁ ବ୍ରଡ୍‌କାଷ୍ଟିଂ କରାଯାଇଥିଲା।

Share