ଭୁବନେଶ୍ବର, ୧।୫ (ପ୍ରସନଜିତ୍ ସାହୁ):ରାପିଡୋ ଡ୍ରାଇଭରରୁ ପ୍ରେମିକ ପାଲଟିଲେ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ଖଣ୍ଡା ଧରି ମାରିବାକୁ ଧମକ ଦେଇଛନ୍ତି। ଏଭଳି ଏକ ଘଟଣାରେ ଭିଏସ୍ଏସ୍ ନଗର ମହାବୀର ବସ୍ତିର ଜଣେ ମହିଳା ଶହୀଦନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ୮ ମାସ ପୂର୍ବରୁ ମହିଳା ଜଣକ ଏକ ମାମଲା କାର୍ଯ୍ୟରେ କୋର୍ଟ ଯିବାକୁ ଏକ ରାପିଡୋ ବୁକ୍ କରିଥିଲେ। ଟଙ୍କା ନେବାରେ ଅସୁବିଧା ହେବାରୁ ଚାଳକ ମହିଳାଙ୍କ ମୋବାଇଲ ନମ୍ବର ନେଇଥିଲେ। ପରେ ରାପିଡୋ ଚାଳକ ମହିଳାଙ୍କ ସହିତ କଥାବାର୍ତ୍ତା ହେବା ସହିତ ତାଙ୍କୁ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏପରିକି ମହିଳାଙ୍କୁ ତାଙ୍କ ପରିବାର ସହିତ କଥା କରାଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ସମୟକ୍ରମେ ଚାଳକ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କ ଅଜାଣତରେ ଅଶ୍ଳୀଳ ଭିଡିଓ ଓ ଫଟୋ ଉଠାଇଥିଲେ। କିଛିଦିନ ହେବ କୌଣସି କାରଣରୁ ମହିଳାଙ୍କ ସହିତ ତାଙ୍କର ଝଗଡା ହେବାରୁ ସେ ମହିଳାଙ୍କ ସହିତ ଉଠାଇଥିବା ଭିଡିଓ ଓ ଫଟୋଗୁଡ଼ିକୁ ଭାଇରାଲ କରିଦେଇଛନ୍ତି। ଏଥିରେ ବିରୋଧ କରିବାରୁ ଅଭିଯୁକ୍ତ ବୁଧବାର ରାତିରେ ଖଣ୍ଡା ଧରି ମହିଳାଙ୍କୁ ମାରିଦେବାକୁ ଧମକ ଦେବାରୁ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା(ନଂ. ୨୨୮/୨୦୨୬) ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛି।
Dharitri – Odisha’s No.1 Odia Daily

