ରାତ୍ରି କର୍ଫ୍ୟୁ, ସଟ୍‌ଡାଉନ ସମୟରେ ଖୋଲା ରହିବ ରାସ୍ତା କଡ ଢାବା

ଭୁବନେଶ୍ୱର,୧୨।୬(ବ୍ୟୁରୋ):ସଟଡାଉନ ଏବଂ ଲକ୍‌ଡାଉନର କର୍ଫ୍ୟୁ ସମୟରେ ଢାବାସବୁ ଖୋଲା ରହିବ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଲକ୍‌ଡାଉନ କଟକଣା କିନ୍ତୁ ଧିରେଧିରେ କୋହଳ ହୋଇଚାଲିଛି। ମାତ୍ର ଏହି ଜୁନ୍‌ ମାସ ସମସ୍ତଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର କହିଛନ୍ତି। ସେହିପରି ମୌସୁମୀ ଦୁଇ ସପ୍ତାହ ରହିଥିବା ବେଳେ ଏହା ମଧ୍ୟ ବହୁତ ମାତ୍ରାରେ ପ୍ରଭାବ ପକାଇବ ବୋଲି ସରକାରଙ୍କ ତରଫରୁ କୁହାଯାଇଛି। ସେହି ଅନୁଯାୟୀ ସରକାର ଦିନକୁ ୧୦ଘଣ୍ଟା ଅର୍ଥାତ୍‌ ସା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରୀ କର୍ଫ୍ୟୁକୁ ଜୋରଦାର କରିବା ଲାଗି କହିଛନ୍ତି। ଏହାସହ ସପ୍ତାହକୁ ଦୁଇଦିନ ଶନି ଏବଂ ରବିବାର ରାଜ୍ୟର ୧୧ଟି ଜିଲାକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ ରଖିବା ଲାଗି ଘୋଷଣା କରିଛନ୍ତି। ଏହି ସମୟଗୁଡିକରେ ଅର୍ଥାତ୍‌ ରାତ୍ରି କର୍ଫ୍ୟୁ ଏବଂ ସଟ୍‌ଡାଉନ ସମୟରେ ଏଥର ଉଭୟ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡରେ ଥିବା ଢାବା ଖୋଲାଯାଇପାରିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନ ଘୋଷଣା କରିଛନ୍ତି। ଏନେଇ ଶୁକ୍ରବାର ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ହେଲେ ଏହି ସମୟରେ ଢାବାଗୁଡିକ କେବଳ ପାର୍ସଲ ଦେବେ। ଢାବାରେ ବସି କେହି ଖାଇପାରିବେ ନାହିଁ। ମୁଖ୍ୟତଃ ରାତି ସମୟରେ ଜରୁରୀକାଳୀନ ସାମଗ୍ରୀ ନବା ଆଣିବା କରୁଥିବା ଗାଡିର ଡ୍ରାଇଭରମାନେ ଅସୁବିଧା ସମ୍ମଖୀନ ହେଉଥିବାରୁ ଏହି ପଦକ୍ଷେପ ନେଇଛନ୍ତି। ଧାନ କିଣିବା, ଚାଉଳ ଯୋଗାଣ ଚିନାବାଦମ ଓ ଡାଲି କିଣିବା ଚାଲି ପାରିବ। ସହିତ ଚାରା ଓ ମଞ୍ଜି ପ୍ରକ୍ରିୟାକରଣ କରାଯାଇ ପାରିବ।