ରାତି ୧୦ରୁ ସକାଳ ୮ ଭିଡ଼ିଓ ଗେମ୍‌ ଖେଳିବା ମନା

ବେଜିଂ,୨୦।୧୧: ଚାଇନାରେ ପିଲାଙ୍କ ମଧ୍ୟରେ ଭିଡ଼ିଓ ଗେମ୍‌ ଖେଳିବା ନିଶା ଭଳି ବ୍ୟାପିବାରେ ଲାଗିଛି। ଏହାଦ୍ୱାରା ପିଲାଙ୍କ ମାନସିକ ଏବଂ ଶାରୀରିକ ବିକାଶରେ ବାଧା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ଚାଇନା ସରକାର ରାତି ୧୦ରୁ ସକାଳ ୮ ପର୍ଯ୍ୟନ୍ତ ୧୮ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଭିଡ଼ିଓ ଗେମ୍‌ ଖେଳିବାକୁ ମନା କରିଛନ୍ତି। ଭିଡ଼ିଓ ଗେମ୍‌ ଯୋଗୁ ସେମାନଙ୍କର ଖେଳିବା ସମୟ କମିବାରେ ଲାଗିଛି। ଏହାଦ୍ୱାରା ନାନା ସମସ୍ୟା ଦେଖାଦେଉଥିବା ସରକାରୀ ରିପୋର୍ଟରେ କୁହାଯାଇଛି। ସପ୍ତାହରେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପିଲାଙ୍କୁ ପ୍ରତିଦିନ ୯୦ ମିନିଟ୍‌ ଭିଡ଼ିଓ ଗେମ୍‌ ଖେଳିବାକୁ ଅନୁମତି ମିଳିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୬ ବର୍ଷ ବୟସରୁ କମ୍‌ ବୟସ୍କ ପିଲା ଭିଡ଼ିଓ ଗେମ୍‌ରେ ମାସରେ ୨ଶହ ୟୁଆନ୍‌( ୨ ହଜାର ଟଙ୍କା)ରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ। ସେହିପରି ୧୬ରୁ ୧୮ ବର୍ଷ ବୟସ୍କ ପିଲା ୪ଶହ ୟୁଆନ୍‌( ୪ ହଜାର ଟଙ୍କା) ପର୍ଯ୍ୟନ୍ତ ଖର୍ଚ୍ଚ କରି ପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Share