Categories: ଫୁରସତ

ରାତିରେ ବି ଖୋଲା ରହିଥାଏ ‘ଫ୍ଲୋଟିଂ ପୋଷ୍ଟ ଅଫିସ୍‌’

ବର୍ତ୍ତମାନ ଡିଜିଟାଲ ଯୁଗରେ ପୋଷ୍ଟ ଅଫିସ୍‌ର ମଧ୍ୟ ଚାହିଦା ବେଶ୍‌ ରହିଛି। ଆଜିବି ଡାକଘର ଜରିଆରେ ଜଣେ ଆଉ ଜଣଙ୍କ ପାଖକୁ ନିଜର ବାର୍ତ୍ତା ପଠାଇପାରୁଛି। ତେବେ ଜାଣିଛନ୍ତି କି ଭାରତରେ ଏକ ଆଶ୍ଚର୍ଯ୍ୟ ଓ ଆକର୍ଷଣୀୟ କରିଦେବା ଭଳି ଏକ ଡାକଘର ରହିଛି, ଯାହା ଆଖିରେ ନ ଦେଖିଲେ କେହିବି ବିଶ୍ୱାସ କରିପାରିବେ ନାହିଁ। ଭାରତର ଭୂସ୍ବର୍ଗ କୁହାଯାଉଥିବା ଜମ୍ମୁ-କଶ୍ମୀର ଶ୍ରୀନଗରରେ ଏକ ଏଭଳି ପୋଷ୍ଟ ଅଫିସ୍‌ ଅଛି, ଯାହା ଭାସମାନ। ଏହି ‘ଭାସମାନ ଡାକଘର’ ଏବେ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ ମଧ୍ୟରୁ ଅନ୍ୟତମ। ଶ୍ରୀନଗରର ଡାଲ୍‌ ହ୍ରଦ କୂଳରେ ଏହି ଡାକଘର ଅବସ୍ଥିତ। ଏହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ଏହା ପ୍ରଥମ ଡାକଘର ଯାହା ରାତିସାରା ମଧ୍ୟ ଖୋଲା ରହିଥାଏ।

୫୦୦ବର୍ଷ ପୁରୁଣା ଏହି ଡାକଘର ଆଜି ବି ଲୋକଙ୍କୁ ସେବା ଯୋଗାଇ ଚାଲିଛି। ସୂଚନା ମୁତାବକ ୬ବର୍ଷ ପୂର୍ବରୁ ଏହି ଡାକଘର ଜର୍ଜରିତ ଅବସ୍ଥାରେ ରହିଥିଲା। ହେଲେ ପରବର୍ତ୍ତୀ ସମୟରେ ସେଠାରେ କାର୍ଯ୍ୟରତ ଥିବା ପୋଷ୍ଟମାଷ୍ଟର ଜେନେରାଲ ଜନ୍‌ ସାମୁଏଲ୍‌ ଏହାକୁ ଆକର୍ଷଣୀୟ କରିବା ପାଇଁ ବଡ଼ ପରିବର୍ତ୍ତନ ଆଣିଥିଲେ। ଯାହା ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ପାଲଟିଛି। ଡାଲ ହ୍ରଦ ନିକଟରେ ଥିବା ଏହି ଡାକଘର ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିବା ଜଣାପଡ଼ିଛି।

ପୂର୍ବରୁ ଏହାର ନାମ ନେହେରୁ ପାର୍କ ପୋଷ୍ଟ ଅଫିସ୍‌ ରହିଥିବା ବେଳେ ୨୦୧୧ରେ ତତ୍କାଳୀନ ପୋଷ୍ଟମାଷ୍ଟର ଜନ୍‌ ଏହାକୁ ପରିବର୍ତ୍ତନ କରି ‘ଫ୍ଲୋଟିଂ ପୋଷ୍ଟ ଅଫିସ୍‌’ ନାଁରେ ନାମିତ କରିଥିଲେ। ୨୦୧୧ରେ ତତ୍କାଳୀନ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ‘ଫ୍ଲୋଟିଂ ପୋଷ୍ଟ ଅଫିସ୍‌’ର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଲୋକଙ୍କୁ ଡାକ ସୁବିଧା ଯୋଗାଉଥିବା ଭାସମାନ ଡାକଘରରେ ନିୟମିତ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳେ।

Share