ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି ଅନେକ କିମ୍ବଦନ୍ତୀ ହାସଲ କରିପାରି ନାହାଁନ୍ତି। ସେ ଇଣ୍ଡିଆନ ପ୍ରିମିୟର ଲିଗର ୧୯ ବର୍ଷର ଇତିହାସରେ ପ୍ରଥମ ବୋଲର ହୋଇଥିଲେ, ଯିଏ ତାଙ୍କ ପ୍ରଥମ ଓଭରରେ ୩ଟି ଉଇକେଟ ନେଇଥିଲେ। ସେ ତାଙ୍କ ଡେବ୍ୟୁ ମ୍ୟାଚ୍‌ରେ ୪ଟି ଉଇକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ବିବେଚିତ ହୋଇଥିଲେ। ଏହି ପ୍ରଦର୍ଶନ ତାଙ୍କୁ ରାତାରାତି ଷ୍ଟାର କରିଥିଲା। ୨୪ ଘଣ୍ଟା ମଧ୍ୟରେ ତାଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ୧,୦୦୦ ରୁ ପ୍ରାୟ ୪,୦୦,୦୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

ସୋମବାର (ଏପ୍ରିଲ ୧୩)ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଦିନ ସକାଳେ ପ୍ରଫୁଲ୍ଲଙ୍କର ଇନଷ୍ଟାଗ୍ରାମରେ ପ୍ରାୟ ୧୦୦୦ ଫଲୋଅର୍ସ ଥିଲେ। ୨୪ ଘଣ୍ଟା ମଧ୍ୟରେ ତାଙ୍କର ପ୍ରାୟ ୪,୦୦,୦୦୦ ଫଲୋଅର୍ସ ହୋଇଛନ୍ତି। ଫଳରେ ସେ ରାତାରାତି ଜଣେ ସୋସିଆଲ ମିଡିଆ ଷ୍ଟାର ହୋଇଯାଇଛନ୍ତି।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ, ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୫୭ ନ୍‌ରେ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୬ ଉଇିକେଟ ହରାଇ ୨୧୬ ରନ କରିଥିଲା। ଅଧିନାୟକ ଇଶାନ କିଶାନ ଦଳ ପାଇଁ ସର୍ବାଧିକ ଇନିଂସ ଖେଳିଥିଲେ, ୪୪ ବଲ୍‌ରେ ୮ ଚୌକା ଏବଂ ୬ ଛକା ସହାୟତାରେ ୯୧ ରନ କରିଥିଲେ।

ଏହା ପରେ, ରନ ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ୧୯ ଓଭରରେ ୧୫୯ ରନ୍‌ରେ ଅଲଆଉଟ ହୋଇଯାଇଥିଲା। ଦଳ ପାଇଁ ଡେନୋଭାନ ଫେରେରା ସର୍ବାଧିକ ୬୯ ରନ କରିଥିଲେ। ପ୍ରଫୁଲ୍ଲ ହିଙ୍ଗେ ଏବଂ ସାକିବ ହୁସେନ ହାଇଦ୍ରାବାଦ ପାଇଁ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ, ପ୍ରତ୍ୟେକେ ୪ଟି ଉଇକେଟ ନେଇଥିଲେ।

 

Dharitri – Odisha’s No.1 Odia Daily