ରାଞ୍ଚିରେ ଯୋଗ କରିବେ ମୋଦି

ରାଞ୍ଚି,୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ରାଞ୍ଚିଠାରେ ଯୋଗ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି। ଶୁକ୍ରବାର ଅର୍ଥାତ୍‌ ଜୁନ୍‌ ୨୧ରେ ଏଠାରେ ଯୋଗ ଦିବସ ପାଳନ ପାଇଁ ମୋଦିଙ୍କୁ ସ୍ବାଗତ କରିବା ଲାଗି ସମସ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି। ଏଥିରେ ପାଖାପାଖି ୩୦ ହଜାର ଲୋକ ଯୋଗ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଯୋଗକୁ ନେଇ ଝାଡ଼ଖଣ୍ଡବାସୀ ବେଶ୍‌ ସଚେତନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ। ସୂଚନାଯୋଗ୍ୟ, ପ୍ରଥମେ ଯୋଗ ଦିବସ ଜୁନ୍‌ ୨୧, ୨୦୧୫ରେ ପାଳନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଳୀର ରାଜପଥରେ ଯୋଗ ଅଭ୍ୟାସ କରିଥିଲେ। ସେତେବେଳେ ତାଙ୍କ ସହ ୩୦ ହଜାର ଲୋକ ଯୋଗ କରିଥିଲେ। ତେବେ ୟୁନାଇଟେଡ ନେଶସନ୍ସ ଜେନରାଲ ଆସେମ୍ଲି(ୟୁଏନ୍‌ଜିଏ)ରେ ପ୍ରଥମେ ୨୦୧୪ ସେପ୍ଟେମ୍ବର ୨୭ରେ ମୋଦି ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରସ୍ତାବ ଦେଇଥିଲେ।

Share