Categories: ଖେଳ

ରାଜ୍ୟ ୯ବର୍ଷରୁ କମ୍‌ ଚେସ ଆରମ୍ଭ: ଆୟୁଷ୍ମାନ, ପ୍ରତ୍ୟୁଷା ଟପସିଡ

କଟକ ଅଫିସ,୧୩ା୭- ପୂର୍ବତଟ ରେଲଓ୍ବେ ପ୍ରତିଷ୍ଠାନ ପରିସରରେ ରାଜ୍ୟ ୯ବର୍ଷରୁ କମ୍‌ ଚେସ ଚାମ୍ପିୟନଶିପ ଶୁକ୍ରବାର ଆରମ୍ଭ ହୋଇଛି । ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଓପନ ବର୍ଗରେ ୮୩ ଓ ବାଳିକା ବର୍ଗରେ ୩୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ୧୦ଟି ଜିଲାରୁ ମୋଟ ୧୨୦ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୫ଜଣ ଅନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ଖେଳାଳି ଅଛନ୍ତି । ଓପନ ବର୍ଗରେ ପୁରୀର ଆୟୁଷ୍ମାନ ମହାନ୍ତି ଓ ବାଳିକା ବର୍ଗରେ କଟକର ପ୍ରତ୍ୟୁଷା ଜେନା ଟୁର୍ନାମେଣ୍ଟର ଟପସିଡ ଖେଳାଳି ଅଛନ୍ତି। କଟକ ଜିଲା ଚେସ୍‌ ସଂଘ ଓ ନିଖିଳ ଓଡ଼ିଶା ଚେସ୍‌ ସଂଘର ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହେବ ।
ଶୁକ୍ରବାର ଖେଳାଯାଇଥିବା ୨ ରାଉଣ୍ଡ ଶେଷ ସୁଦ୍ଧା ଓପନ ବର୍ଗରେ ଆୟୁଷ୍ମାନ ମହାନ୍ତି, ପ୍ରତ୍ୟୁଷ ନାୟକ, ଶ୍ରୀୟାଂଶ ଦେ, ଆୟୁଷ ଆର୍ୟନ ମହାପାତ୍ର, ସ୍ବସ୍ତିକ ଶୁଭମ ପଟ୍ଟନାୟକ, ତନ୍ମୟ ତଲିନ ବେହେରା, ଆଦିତ୍ୟ ବିକ୍ରମ ମିଶ୍ର, ସାଇ ଅମ୍ରିତ ପରିଜା, ବାଳିକା ବର୍ଗରେ ସାଇ ସମ୍ପ୍ରଦା ମହାନ୍ତି, ସାନିଧ୍ୟା ସ୍ବାଇଁ, ଶ୍ରୁତି ସ୍ନେହି, ଶୁଭଶ୍ରୀ ରାଉତ, ଆୟୁଷି ଦାସ, ଜ୍ୟୋତିକା ସାହୁ, ଶ୍ରଦ୍ଧା ସ୍ମରଣିକା ନନ୍ଦ, ଶ୍ରଦ୍ଧା ମିଶ୍ର ୨ ପଏଣ୍ଟ ଲେଖାଏ ପାଇ ଅଗ୍ରଣୀ ଅଛନ୍ତି । ରାଜେନ୍ଦ୍ର କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନ୍ତର୍ଜାତୀୟ ଆର୍ବିଟର ତାପସ ମହାନ୍ତି, ନିହାର ରଞ୍ଜନ ସାସମଲ ଖେଳ ପରିଚାଳନା କରୁଛନ୍ତି । ସେକ ମନସୂର ଅଲ୍ଲୀ, ସାହେବ ଅଖତାର ସହାୟତା କରୁଛନ୍ତି । ଉଦ୍‌ଘାଟନୀ ଉତ୍ସବରେ ପୂର୍ବତଟ ରେଳବାଇ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଡା. ସେକ ରହେମତୁଲ୍ଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲା ଚେସ ସଂଘ ସଭାପତି ବିବେକ ତିବେରୱାଲ, ସମ୍ପାଦକ ରଞ୍ଜନ ମହାନ୍ତି, ଉପସଭାପତି ସନ୍ତୋଷ କୁମାର ପୃଷ୍ଟି, ଫନୀନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ ।

Share