Categories: ଜାତୀୟ

ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ରିସର୍ଟ ପଲିଟିକ୍ସ

ଅହମଦାବାଦ, ୭ା୬: ଜୁନ୍‌ ୧୯ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସ ହଡବଡ଼େଇ ଯାଇଛି। ବିଶେଷକରି ୩ ବିଧାୟକଙ୍କ ଇସ୍ତଫା ପରେ ଦଳରେ ସଙ୍କଟ ଦେଖାଦେଇଛି। ତେଣୁ ରାଜ୍ୟ ସଭା ନିର୍ବାଚନକୁ ଆଖିଆଗରେ ରଖି ଘୋଡ଼ାବେପାରକୁ ଏଡ଼ାଇବା ଲାଗି କଂଗ୍ରେସ ପକ୍ଷରୁ ବିଧାୟକମାନଙ୍କୁ ରିସର୍ଟକୁ ନିଆଯାଇଛି। କଂଗ୍ରେସ ବିଧାୟକ ଅକ୍ଷୟ ପଟେଲ, ଜିତୁ ଚୌଧୁରୀ ଓ ବ୍ରିଜେଶ୍‌ ମିଶ୍ର ଇସ୍ତଫା ଦେବା ପରେ ୧୮୨ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ କଂଗ୍ରେସ ସଦସ୍ୟ ସଂଖ୍ୟା ୬୫କୁ କମିଆସିଛି। ୧୦ ଆସନ ଖାଲିପଡ଼ିଛି। ଉତ୍ତର ଗୁଜରାଟର କେତେଜଣ କଂଗ୍ରେସ ବିଧାୟକଙ୍କୁ ବନସକଣ୍ଟା ଜିଲା ଅମ୍ବାଜିସ୍ଥିତ ରିସର୍ଟକୁ ନିଆଯାଇଛି। ଦକ୍ଷିଣ ଓ କେନ୍ଦ୍ରୀୟ ଗୁଜରାଟର ବିଧାୟକମାନଙ୍କୁ ଆନନ୍ଦସ୍ଥିତ ବଙ୍ଗଳାକୁ ନିଆଯାଇଥିବା କଂଗ୍ରେସ ମୁଖପାତ୍ର ମନୀଷ୍‌ ଦୋଷୀ ପ୍ରକାଶ କରିଛନ୍ତି। ସେହିଭଳି ସୌରାଷ୍ଟ୍ର ବିଧାୟକଙ୍କୁ ରାଜ୍‌କୋଟର ରିସର୍ଟକୁ ନିଆଯାଇଛି। ନିର୍ବାଚନ ପର୍ଯ୍ୟନ୍ତ ବିଧାୟକମାନେ ଏହିସବୁ ସ୍ଥାନରେ ରହିବେ ବୋଲି ଜଣାପଡ଼ିଛି। କଂଗ୍ରେସ ୨ ରାଜ୍ୟ ସଭା ଆସନ ଲାଗି ପ୍ରାର୍ଥୀ ଦେଇଥିବା ବେଳେ ଭାଜପା ୪ ଆସନ ଲାଗି ପ୍ରାର୍ଥୀ ଦେଇଛି। କଂଗ୍ରେସର ଦ୍ୱିତୀୟ ଓ ଭାଜପାର ଚତୁର୍ଥ ପ୍ରାର୍ଥୀ ଲାଗି ବଳ କଷାକଷି ଚାଲିଛି। କାଳେ ଭାଜପା ଘୋଡ଼ାବେପାର କରି ବିଧାୟକଙ୍କୁ ହାତେଇ ନେବେ, କଂଗ୍ରେସର ଭୟ ରହିଛି।

Share