Categories: ଜାତୀୟ

ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଘୋଡ଼ାବେପାର

ଜୟପୁର, ୧୨ା୬:ମଧ୍ୟପ୍ରଦେଶରେ କମଳନାଥ ସରକାର ପରେ ଭାଜପା ଏବେ ରାଜସ୍ଥାନ ସରକାରକୁ ଭାଙ୍ଗିବା ଲାଗି ପ୍ରୟାସ ଜାରି ରଖିଛି। ବିଶେଷକରି ଜୁନ୍‌ ୧୯ରେ ରାଜ୍ୟ ସଭା ଭୋଟ ପୂର୍ବରୁ ଭାଜପା କଂଗ୍ରେସ ବିଧାୟକଙ୍କୁ ହାତେଇବା ଲାଗି ଘୋଡ଼ାବେପାର ଆରମ୍ଭ କରିଦେଇଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିଯୋଗ କରିଛନ୍ତି। ବିଧାୟକଙ୍କୁ ୨୫ କୋଟି ଟଙ୍କାର ଲୋଭ ଦେଖାଯାଇଥିବା ବେଳେ ୧୦ କୋଟି ଲେଖାଏ ଆଗୁଆ ଯଚାଯାଇଥିବା ସେ କହିଛନ୍ତି। ରାଜ୍ୟ ସରକାରକୁ ଭାଙ୍ଗିବା ସହ ରାଜ୍ୟ ସଭା ନିର୍ବାଚନ ଜିତିବା ଲାଗି ଭାଜପା ପ୍ରୟାସ ଜାରି ରଖିଥିବା ସେ ଖବରଦାତାଙ୍କ ଆଗରେ ଅଭିଯୋଗ କରିଛନ୍ତି। କଂଗ୍ରେସ ୧୦୭ ବିଧାୟକଙ୍କ ସହ ୧୩ ସ୍ବାଧୀନ ବିଧାୟକଙ୍କୁ ଜୟପୁର ବାହାରେ ଥିବା ଏକ ରିସର୍ଟକୁ ନେବା ଲାଗି ଯୋଜନା କରୁଛି। ସେଠାରେ ରାଜ୍ୟ ସଭା ନିର୍ବାଚନ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ ବୋଲି ଗେହଲଟ ପ୍ରକାଶ କରିଛନ୍ତି। କେତେଜଣ କଂଗ୍ରେସ ଓ ସ୍ବାଧୀନ ବିଧାୟକଙ୍କୁ ଭାଜପା ପକ୍ଷରୁ ଅର୍ଥଲୋଭ ଦେଖାଯାଇଥିଲେ ହେଁ ସେମାନେ ଦୃଢ଼ ଥିବା ସେ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନ ଓ ଗୁଜରାଟରେ ଆବଶ୍ୟକ ସଂଖ୍ୟା ନ ଥିବାରୁ ଚତୁରତା ସହ ନିର୍ବାଚନକୁ ଦୁଇମାସ ଘୁଞ୍ଚାଇ ଦେଇଥିଲେ ବୋଲି ଗେହଲଟ ଅଭିଯୋଗ କରିଛନ୍ତି। ଏହି ସମୟ ମଧ୍ୟରେ ବିକାକିଣା ସମ୍ଭବ ହୋଇପାରିବ ବୋଲି ସେ ଆଶା ରଖିଥିଲେ। ଏବେ ସେ ସମୟ ଆସିଛି।

Share