ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ ଦେବନି ଭାଜପା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଓଡ଼ିଶାର ୪ ରାଜ୍ୟ ସଭା ଆସନ ପାଇଁ ବିଜେଡିର ସମସ୍ତ ପ୍ରାର୍ଥୀ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ୪ର୍ଥ ଆସନକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଥିଲା ସେଥିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡିଛି। ଭାଜପା ରାଜ୍ୟ ସଭା ନିର୍ବାଚନ ଲାଗି ପ୍ରାର୍ଥୀ ଦେବ ନାହିଁ ବୋଲି ଶେଷରେ ଘୋଷଣା କରିଛି। କଂଗ୍ରେସ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବାକୁ ମନା କରିଥିବାବେଳେ ପ୍ରାର୍ଥୀ ଚୟନକୁ ନେଇ ବିଜେଡି ଓ ଭାଜପା ମଧ୍ୟ ଭିତିରି ବୁଝାମଣା ହୋଇଥିବା ଅଭିଯୋଗ ଆଣିଛି।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ଆମେ ଏଥର ପ୍ରାର୍ଥୀ ଦେବୁନାହିଁ। ଆମର ସଂଖ୍ୟା ହେଉନି, ସେଥିଲାଗି ଲଢିବୁନି। ସଂଖ୍ୟାଗରିଷ୍ଠତା ନ ଥିବାରୁ କାହିଁକି ଲଢେଇ କରିବାକୁ ଯିବୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। ମାତ୍ର ଏନେଇ ଦଳ ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି। ପ୍ରଦୀପ୍ତ ଆହରି କହିଛନ୍ତି ଯେ, ନାମାଙ୍କନ କରିପାରିବାର ସଂଖ୍ୟା ଦଳ ନିକଟରେ ଥିଲେ ମଧ୍ୟ ଜିତିବାର ନାହିଁ। ଅନ୍ୟ ଦଳ ସହ ମିଶିକରି ଯାଇପାରୁ ମାତ୍ର କଂଗ୍ରେସ ସହିତ ମିଶିବାର ପ୍ରଶ୍ନ ଉଠୁନାହିଁ। ଦଳ ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନେବାପରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ରାଜ୍ୟ ସଭା ନିର୍ବାଚନ ଲାଗି ଦଳ ପ୍ରାର୍ଥୀ ଦେବନାହିଁ ବୋଲି ସୂଚନା ଦେଇଛନ୍ତି। ଜିତିବା ପାଇଁ ସଂଖ୍ୟା ନ ଥିବାରୁ ସଂସଦୀୟ ବୋର୍ଡ ମନା କରିଦେଇଥିବା ସେ କହିଛନ୍ତି।
ଏପରି ସ୍ଥିତିରେ କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଭାଜପା, ବିଜେଡି ମଧ୍ୟରେ ସଲାସୁତୁରାରେ ସବୁ ହେଉଛି। ଏଥିଲାଗି ୨୩ଆସନ ଥିବାସତ୍ତ୍ୱେ ଭାଜପା ପ୍ରାର୍ଥୀ ଦେଉନାହିଁ। ତାଙ୍କର ୯ଜଣ ବିଧାୟକ ଅଛନ୍ତି। ସେମାନେ ନାମାଙ୍କନ ଦାଖଲ କରିପାରିବେ ନାହିଁ। ହେଲେ ଶାସକ ଦଳ ସହ ବୁଝାମଣା ହୋଇସାରିଥିବାରୁ ଭାଜପା ପ୍ରାର୍ଥୀଦେଉ ନ ଥିବା ସ୍ପଷ୍ଟ ଜଣାପଡୁଛି ବୋଲି ତାରା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ବିଜେଡିର ୪ ରାଜ୍ୟ ସଭା ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।