ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ସ୍ମୃତି

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ରାଜ୍ୟ ସଂଗ୍ରହାଳୟରେ ସ୍ଥାନ ପାଇଛି ପର୍ବତାରୋହୀ ତଥା ଏଭରେଷ୍ଟ ବିଜୟିନୀ ସ୍ବର୍ଗତା କଳ୍ପନା ଦାସଙ୍କ ସ୍ମୃତି। ୨୦୦୮ରେ କଳ୍ପନା ଏଭରେଷ୍ଟ ଚଢିଥିବାବେଳେ ଯେଉଁ ପୋଷାକ ଓ ଉପକରଣ ବ୍ୟବହାର କରିଥିଲେ ତାହାକୁ ରାଜ୍ୟର ଏହି ଶ୍ରେଷ୍ଠ ସଂଗ୍ରହାଳୟରେ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯାଇଛି। ରାଜ୍ୟର ପ୍ରଥମ ମହିଳାଭାବେ ସେ ଯେଉଁ ସଫଳତା ହାସଲ କରିଥିଲେ ତାଙ୍କର ଅକାଳ ମୃତ୍ୟୁ ପରେ ଏସବୁ ଏବେ ସ୍ମୃତି ହୋଇଯାଇଛି। କଳ୍ପନାଙ୍କ ଅଦମ୍ୟ ସାହସ ଓ ଦୃଢ ମନୋବଳର ସବୁଠୁ ବଡ଼ ସନ୍ତକ ଭାବେ ଏସବୁ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ସଂଗ୍ରହାଳୟର ଅଧୀକ୍ଷକ ଡ. ଜୟନ୍ତୀ ରଥ କହିଛନ୍ତି।
ରାଜ୍ୟ ସଂଗ୍ରହାଳୟରେ ମଙ୍ଗଳବାର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କଳ୍ପନାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ତାଙ୍କ ବ୍ୟବହୃତ ସାମଗ୍ରୀ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ ହୋଇଥିଲା। ୨୦୧୭ରେ କଳ୍ପନା ତାଙ୍କ ସଫଳତାର ସନ୍ତକ ଭାବେ ଏଭରେଷ୍ଟ ଆରୋହଣ ସମୟରେ ପିନ୍ଧିଥିବା ପୋଷାକ, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀକୁ ସଂସ୍କୃତି ବିଭାଗକୁ ପ୍ରଦାନ କରିଥିଲେ। ଏହି ସାମଗ୍ରୀ ସଂଗୃହୀତ ହୋଇ ପରବର୍ତ୍ତୀ ସମୟରେ ରାଜ୍ୟ ସଂଗ୍ରହାଳୟରେ ରଖାଯାଇଥିଲା। ବର୍ତ୍ତମାନ ଅସ୍ଥାୟୀଭାବେ ପ୍ରଦର୍ଶିତ ହୋଇଥିବାବେଳେ ଆଗାମୀ ଦିନରେ ଏହି ପୋଷାକକୁ ସ୍ଥାୟୀ ଭାବେ ପ୍ରଦର୍ଶିତ କରାଯିବ ବୋଲି ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ଜଣେ ମହିଳା ହୋଇ ମଧ୍ୟ ବିଶ୍ୱର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଶିଖରକୁ ଚଢ଼ି ବିଶ୍ୱର ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିଲେ ଢେଙ୍କାନାଳର କଳ୍ପନା ଦାଶ। ରାଜ୍ୟର କ୍ରୀଡାବିତ୍‌ ଓ ଯୁବପିଢ଼ି ପାଇଁ ରୋଲ୍‌ ମଡେଲ କଳ୍ପନା ଦ୍ୱିତୀୟଥର ପାଇଁ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ପ୍ରତ୍ୟାବର୍ତ୍ତନ କରୁଥିବା ସମୟରେ ଗତ ଗୁରୁବାର କଳ୍ପନାଙ୍କର ମୃତ୍ୟୁ ଘଟିଥିଲା। ୪୯ବର୍ଷୀୟା କଳ୍ପନା ‘ତିନି ମହିଳା ଅଭିଯାତ୍ରୀ’ ଦଳର ସଦସ୍ୟ ଭାବରେ ଏହି ଦୁଃସାହସିକ ଅଭିଯାନ କରୁଥିଲେ। ହେଲେ ଅମ୍ଳଜାନ ଅଭାବରୁ ଏଭରେଷ୍ଟର ବାଲ୍‌କୋନୀ ଏରିଆରେ କଳ୍ପନା ଦାଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚତ୍ ପାଦଦେଶକୁ ଓହ୍ଲାଇବାବେଳେ ଏହି ଦୁର୍ଘଟଣା ଘଟିଥିଲା।