ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ହେଲେ ମୀନାକ୍ଷୀ ବାହିନୀପତି

ଭୁବନେଶ୍ୱର, ୩୧।୧(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନକୁ ଆଉ କମ୍‌ ସମୟ ଥିବାବେଳେ କଂଗ୍ରେସ ରାଜ୍ୟରେ ନିଜର ସାଙ୍ଗଠନିକ ନିଯୁକ୍ତିରେ ବ୍ୟାପକ ପରିବର୍ତ୍ତନ ଆରମ୍ଭ କରିଦେଇଛି। ରାଜ୍ୟରେ କଂଗ୍ରେସ ଅଜୟ କୁମାରଙ୍କୁ ପ୍ରଭାରୀ ଭାବେ ଦାୟିତ୍ୱ ଦେବା ପରେ ଦଳ ନିଜର ସାଙ୍ଗଠନିକ ନିଯୁକ୍ତିର ଅଦଳବଦଳ ଆରମ୍ଭ କରିଦେଇଛି। ଦଳ ପକ୍ଷରୁ ମଙ୍ଗଳବାର ମହିଳା ମୁଖିଆଙ୍କୁ ପରିବର୍ତ୍ତନ କରାଯାଇଛି। କୋରାପୁଟ ଜିଲା କଂଗ୍ରେସର ଦୀର୍ଘଦିନ ଧରି ସଭାପତି ଭାବେ କାର୍ଯ୍ୟ କରିଥିବା ବରିଷ୍ଠ ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି। ଏନେଇ ବିଧିବଦ୍ଧ ଭାବେ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେନୁଗୋପାଳଙ୍କ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ ମୀନାକ୍ଷୀ ବାହିନୀପତିଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ କାର୍ଯ୍ୟ କରିବା ନିମନ୍ତେ ଆସିଥିବା ପ୍ରସ୍ତାବକୁ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅନୁମୋଦନ କରିଛନ୍ତି। ମୀନାକ୍ଷୀ ହେଉଛନ୍ତି ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତିଙ୍କ ସ୍ତ୍ରୀ। ମୀନାକ୍ଷୀଙ୍କୁ ଗତବର୍ଷ ଜୁନ୍‌ ମାସରେ କୋରାପୁଟ ଜିଲା ସଭାପତି ପଦରୁ ହଟାଇ ରାଜ୍ୟ କମିଟିରେ ସ୍ଥାନ ଦିଆଯାଇଥିଲା। ଏହାକୁ ନେଇ ତାରା ଓ ମୀନାକ୍ଷୀଙ୍କ ସମର୍ଥକମାନେ କ୍ଷୁବ୍ଧ ଥିଲେ। ଏବେ ସାଧାରଣ ନିର୍ବାଚନ ପୂର୍ବରୁ ମୀନାକ୍ଷୀଙ୍କୁ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଭାବେ ଅବସ୍ଥାପିତ କରାଯାଇଛି। କୋରାପୁଟ ମ୍ୟୁନିସିପାଲିଟି ଅଧ୍ୟକ୍ଷା ଭାବେ ମୀନାକ୍ଷୀ ୨ଥର ନିର୍ବାଚିତ ହୋଇଛନ୍ତି। ସେ କୋରାପୁଟ ଜିଲା ସଭାପତି ଭାବେ ଦୀର୍ଘଦିନ କାର୍ଯ୍ୟ କରିଥିଲେ।