ରାଜ୍ୟ ବାହାରୁ ଆସିଛନ୍ତି ପିଲା, ପ୍ରଶାସନକୁ ଲୁଚାଉଛନ୍ତି ଅଭିଭାବକ

ଫୁଲବାଣୀ ଅଫିସ, ୨୭ା୩-ଯଦି କେହି ଦେଶ କିମ୍ବା ରାଜ୍ୟ ବାହାରୁ ଫେରିଛନ୍ତି, ତାହାଲେ ତୁରନ୍ତ ସେମାନେ ପ୍ରଶାସନକୁ ଅବଗତ କରାଇବାକୁ ସରକାର ଏବଂ ଜିଲା ପ୍ରଶାସନର ନିର୍ଦ୍ଦେଶ ରହିଛି। ହେଲେ କନ୍ଧମାଳ ଜିଲାରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି। ଟିକାବାଲି ବ୍ଲକ ଶଙ୍କରାଖୋଲ ଅଞ୍ଚଳର ଜଣେ ଓ ଫୁଲବାଣୀ ସହରର ୨/୩ ଜଣ ଯୁବକ ପାଠ ପଢ଼ିବାକୁ ବାହାର ରାଜ୍ୟକୁ ଯାଇ ଫେରିଥିଲେ ମଧ୍ୟ ସେମାନେ କିମ୍ବା ଅଭିଭାବକ କେହି ବି ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇନାହାନ୍ତି। ସେମାନେ ଅଲଗା ନ ରହି ଅନ୍ୟମାନଙ୍କ ସହ ମିଳାମିଶା କରୁଥିବାରୁ ଅସନ୍ତୋଷ ଦେଖାଦେଇଛି। ସ୍ବାସ୍ଥ୍ୟ ବିଭାଗ କିପରି ଏହା ଜାଣି ପାରୁନାହିଁ ତାହା ତାଜୁବ କରୁଛି। ଶଙ୍କରାଖୋଲ ଅଞ୍ଚଳର ଏକ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ପୁଅ ଦିଲ୍ଲୀରୁ ଗତ ୧୦ ତାରିଖରେ ଆସିଥିଲେ। ସେ ଘରକୁ ନ ଯାଇ ପ୍ରଧାନଶିକ୍ଷକଙ୍କ କ୍ୱାର୍ଟର୍ସରେ ରହିଥିଲେ। ଏହା ଜଣାପଡିବା ପରେ ତାଙ୍କୁ ପ୍ରଶାସନ ଉଠାଇ ଆଣି ଫୁଲବାଣୀ ମେଡିକାଲରେ ଭର୍ତ୍ତି କରିଥିଲା। ହଷ୍ଟେଲରେ ବହୁ ଛାତ୍ରୀ ରହୁଥିବାରୁ ଘଟଣାକୁ ଚପାଇ ଦିଆଗଲା। ସେହିପରି ଫୁଲବାଣୀ ଅମଲାପଡ଼ା ଅଞ୍ଚଳର ଜଣେ କବାଡ଼ି ବ୍ୟସାୟୀଙ୍କ ପୁଅ ଦିଲ୍ଲୀରୁ, ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଝିଅ ବାହାର ରାଜ୍ୟରୁ ଫେରି ଘରେ ଅଛନ୍ତି। ଆଖପାଖର ଲୋକେ ଏଥିନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି। ବାହାର ଫେରନ୍ତାଙ୍କୁ କ୍ୱାରେଣ୍ଟାଇନରେ ରଖିବାକୁ ଦାବି ହେଉଛି।