ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ୨ୟ ବୈଠକ:ଅତ୍ୟାଧୁନିକ ଗବେଷଣା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ ଅତ୍ୟାଧୁନିକ ଗବେଷଣା ସୁବିଧା ରହିବ। ସମସ୍ତ ଶିକ୍ଷାନୁଷ୍ଠାନର ୱେବ୍‌ସାଇଟ୍‌କୁ ଅପଡେଟ୍‌ କରାଯିବ। ମଙ୍ଗଳବାର ଇମେଜ୍‌ଠାରେ ଆୟୋଜିତ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ଏନେଇ ଆଲୋଚନା ହୋଇଛି। ବୈଠକରେ ସ୍ନାତକୋତ୍ତର ବିଭାଗରେ ନାମଲେଖା, ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରତିଷ୍ଠା ଓ ଏହାର ପରିଚାଳନା, ସିଲାବସ୍‌ ପ୍ରସ୍ତୁତି, ବିଶ୍ୱବିଦ୍ୟାଳୟଗୁଡ଼ିକୁ ଡିଜିଟାଲାଇଜ୍‌ କରିବା, ମହାବିଦ୍ୟାଳୟଗୁଡ଼ିକୁ ନାକ୍‌ ମାନ୍ୟତା ପ୍ରଦାନ ପାଇଁ ଓଡ଼ିଶା ହାୟର ଏଜୁକେଶନ ପ୍ରୋଗ୍ରାମ ଫର୍‌ ଏକ୍ସିଲେନ୍ସି ଆଣ୍ଡ୍‌ ଇକ୍ୟୁଟି (ଓଏଚ୍‌ଇପିଇଇ) ସହିତ ମିଳିତ ତାଲିମ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି। ଏହାସହ ବିଶ୍ୱବିଦ୍ୟାଳୟର ୱେବ୍‌ସାଇଟ୍‌ଗୁଡ଼ିକରେ ନିୟମିତ ବିଭିନ୍ନ ବିଷୟକୁ ଅପଲୋଡ୍‌ କରିବା, ବିଭିନ୍ନ ରିସର୍ଚ୍ଚ ପେପର୍‌ ପ୍ରକାଶନ ପାଇଁ ସହାୟତା, ବିଶ୍ୱବିଦ୍ୟାଳୟ କାର୍ଯ୍ୟର ସମୀକ୍ଷା, ତ୍ୱରିତ ପାଣ୍ଠି ଲାଗି ମନିଟରିଂ ବ୍ୟବସ୍ଥା, ରିସର୍ଚ୍ଚ ଫେଲୋଶିପ୍‌ ଆଦି ସଂକ୍ରାନ୍ତରେ ଉପସ୍ଥିତ କୁଳପତି ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ମତ ରଖିଛନ୍ତି।
ସେହିପରି ଓଡ଼ିଶା ବିଶ୍ୱବିଦ୍ୟାଳୟ ଗବେଷଣା ଏବଂ ଅଭିନବ ପ୍ରୋତ୍ସାହନ ଯୋଜନା (ଓୟୁଆରଆଇଆଇପି)ର ଆଧୁନିକୀକରଣ ସହ ଦ୍ୱିତୀୟ ବର୍ଷ ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବା ଉପରେ ଆଲୋଚନା ହୋଇଥିଲା। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅତ୍ୟାଧୁନିକ ଗବେଷଣା ସହ ଅଭିନବ ଯୋଜନା ପ୍ରସ୍ତୁତ ହେବ। ଏହାଛଡ଼ା ଇଣ୍ଟରନେଟ୍‌ ସଂଯୋଗ ସହିତ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଥିବା ପାଠାଗାରଗୁଡ଼ିକୁ ଅଧିକ ଉପଯୋଗୀ କରିବା, କାଉନସିଲ୍‌ ଦ୍ୱାରା ୟୁଜି ସିଲାବସ ପ୍ରସ୍ତୁତ ନିମନ୍ତେ ଇ-କାଉଣ୍ଟର ବିକାଶ କରିବା ସହ ଓଡ଼ିଶା ଟେକ୍ସଟ ବୁକ୍‌ ପ୍ରେସ୍‌ରେ ସିଲାବସ୍‌ ଓ ପାଠ୍ୟପୁସ୍ତକଗୁଡ଼ିକୁ ଛପାଇବା ଉପରେ ବୈଠକରେ ଆଲୋଚନା ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପଦେଷ୍ଟା ପ୍ରଫେସର ଅଶୋକ ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଯୋଗଦେଇଥିଲେ।