ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୩ଟି ପଦବୀ ପାଇଁ ହେବାକୁ ଥିବା ଏହି ଉପନିର୍ବାଚନ ଲାଗି ପୃଥର ପୃଥକ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଜୁନ୍‌ ୨୫ ତାରିଖ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିପାରିବେ। ମଙ୍ଗଳବାରଠାରୁ ପ୍ରାର୍ଥୀମାନଙ୍କ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଜୁଲାଇ ୫ରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ବିଧାନସଭାର ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ଆସନ ବିଜେଡି ଖାତାକୁ ଯିବା ଏକ ପ୍ରକାର ନିଶ୍ଚିତ। ହେଲେ ଏ ପର୍ଯ୍ୟନ୍ତ ବିଜେଡି କେଉଁ ୩ ଚେହେରାଙ୍କୁ ରାଜ୍ୟ ସଭା ପଠାଇବ ସେ ନେଇ ସ୍ପଷ୍ଟ କରିନାହିଁ। ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳ ମୁଖିଆଙ୍କ ପାଇଁ ପ୍ରାର୍ଥୀ ଚୟନ କାଠିକର ପାଠ ହେଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।