ରାଜ୍ୟରେ ୨୩ ଶହ କି.ମି. କେନାଲ ରାସ୍ତା ନିର୍ମାଣ ହେବ: ଖର୍ଚ୍ଚ ହେବ ୯ଶହ କୋଟି

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଆର୍‌ସିଆର୍‌ ପ୍ରୋଜେକ୍ଟ ଅଧୀନରେ ରାଜ୍ୟରେ ୨୩ଶହ କିମି କେନାଲ ରାସ୍ତା ନିର୍ମାଣ ହେବ। ଏଥିପାଇଁ ୯ଶହ କୋଟି ଟଙ୍କା ଖର୍ଚ୍ଚ ହେବ। କ୍ୟାବିନେଟ ଅନୁମୋଦନ ପରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଗୁରୁବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ। ବିଜେଡି ସଭ୍ୟ ବଦ୍ରି ନାରାୟଣ ପାତ୍ର ମୂଳପ୍ରଶ୍ନରେ କେନ୍ଦୁଝର ଜିଲାରେ କେତେ କିମି ନଦୀବନ୍ଧ ଓ କେନାଲ ରାସ୍ତା ରହିଛି, ସେଗୁଡ଼ିକର ନିର୍ମାଣ ଓ ମରାମତି ପାଇଁ କି ବ୍ୟବସ୍ଥା ରହିଛି। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ କେନ୍ଦୁଝର ଜିଲାରେ ୬୯.୪୭ କିମି ନଦୀବନ୍ଧ ଏବଂ ପ୍ରାୟ ୨୨୫.୨୮ କିମି କେନାଲ ରାସ୍ତା ରହିଛି। ଏହି ରାସ୍ତାଗୁଡ଼ିକ ମଧ୍ୟରୁ ୩ଟି ନଦୀବନ୍ଧର ୪୩.୯୪କିମି ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ନାବାର୍ଡ ସହାୟତାରେ କରାଯାଉଛି। ସେହିଭଳି ୨୨.୨୦ କିମିର ଦୁଇଟି ରାସ୍ତା ଜଳସେଚନ ରାସ୍ତା ନିର୍ମାଣ ଓ ଉନ୍ନତୀକରଣ ଯୋଜନାରେ କାର୍ଯ୍ୟକାରୀ କରାଯାଉଛି। ଗୋଟିଏ ରାସ୍ତାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅନ୍ୟ ୪ଟି ରାସ୍ତାକୁ ଚଳିତ ବର୍ଷ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଜେଡି ସଭ୍ୟ ଜଗନ୍ନାଥ ନାୟକ, ଭାଗୀରଥି ସେଠୀ ନଦୀବନ୍ଧ ଓ କେନାଲ ରାସ୍ତା ନିର୍ମାଣ ବିଳମ୍ବ ହେଉଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ରାସ୍ତା ନିର୍ମାଣ ନେଇ ଯେଉଁ ସମସ୍ୟା ରହିଛି ତାହା ଆଲୋଚନା କରି ସମାଧାନ କରିବେ।